ନୂଆଦିଲ୍ଲୀ: କୋଭିଡ୍‌ ୧୯ ଟିକାକରଣ ଅଭିଯାନ ନେଇ ଭାରତ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଘରକୁ ଘର ଯାଇ ଟିକା ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଂଜୁରି ଦେବା ସହ ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିଛି। ଯେଉଁମାନେ ଭିନ୍ନକ୍ଷମ କିମ୍ବା ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଟିକାକରଣ କେନ୍ଦ୍ରରେ ପହଞ୍ଚିପାରୁ ନାହାନ୍ତି ସେମାନଙ୍କ ଘରକୁ ଯାଇ ଟିକା ପ୍ରଦାନ କରାଯିବ। ନିତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପଲ୍‌ କହିଛନ୍ତି ଯେ ଏ ବାବଦରେ ଯେଉଁ ମାର୍ଗଦର୍ଶିକା ଜାରି ହୋଇଛି ସେଥିରେ ଭିନ୍ନକ୍ଷମ ଏବଂ ଚଳପ୍ରଚଳ କରିପାରୁନଥିବା ଲୋକଙ୍କୁ ଟିକା ଦେବାପାଇଁ ଗୁରୁତ୍ବାରୋପ କରାଯାଇଛି । ଭାରତରେ ଏବେ ୨ ତୃତୀୟାଂଶ ଜନସାଧାରଣ ଟିକା ନେଇସାରିଥିବା ବେଳେ ୧୮ରୁ ଅଧିକ ଆୟୁବର୍ଗର ୬୬ ପ୍ରତିଶତ ଲୋକ ଅନ୍ତତଃ ଗୋଟିଏ ଡୋଜ୍‌ ନେଇସାରିଛନ୍ତି। ୨୩ ପ୍ରତିଶତ ଲୋକ କୋଭିଡ୍‌ ଟିକାର ଦୁଇଟି ଡୋଜ ନେଇସାରିଛନ୍ତି। କେତେକ ରାଜ୍ୟରେ ଟିକାକରଣ ଅଭିଯାନ ତ୍ବରାନ୍ବିତ ହେବାରୁ ଏହି ସଫଳତା ମିଳିଛି ବୋଲି ଡ. ପଲ୍‌ କହିଛନ୍ତି। ୬ଟି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ୧୮ରୁ ଅଧିକ ଆୟୁ ବର୍ଗର ସମସ୍ତ ନାଗରିକଙ୍କୁ ପ୍ରଥମ ଡୋଜ୍‌ ଦେଇସାରିଛନ୍ତି।

The post ଭାରତରେ ଘରକୁ ଘର ଟିକାକରଣ ଅଭିଯାନକୁ ଅନୁମତି: କେନ୍ଦ୍ରରେ ପହଞ୍ଚି ପାରୁନଥିବା ଲୋକଙ୍କୁ ସୁବିଧା ମିଳିବ first appeared on Sambad.

from କରୋନା | Sambad https://ift.tt/3i2HvKa