
ନୂଆଦିଲ୍ଲୀ: ଆଜି ବେତାର କାର୍ଯ୍ୟକ୍ରମ ‘ମନ୍କୀ ବାତ୍’ରେ କରୋନାଭାଇରସ୍ ମହାମାରୀ ପ୍ରସଙ୍ଗରେ କହିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ଔଷଧୀୟ ଉଦ୍ଭିଦ ଚାଷ କଥା ଉଲ୍ଲେଖ କରିଛନ୍ତି।
ପ୍ରସଙ୍ଗ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ, ପ୍ରିୟ ଦେଶବାସୀ, ଆମ୍ଭମାନଙ୍କର ଜୀବନାବସ୍ଥା ଆଜି ଏମିତି ହୋଇଯାଇଛି ଯେ, ମୋ କାନରେ ଦୈନିକ ‘କରୋନା’ ଶବ୍ଦ ଅନେକ ବାର ଗୁଞ୍ଜରିତ ହେଉଛି। ଶହ ଶହ ବର୍ଷ ପରେ ଆସିଥିବା ଏହି ବୃହତ୍ତମ ବୈଶ୍ବିକ ମହାମାରୀ, କୋଭିଡ୍-୧୯ ପ୍ରତ୍ୟେକ ଦେଶବାସୀଙ୍କୁ ବହୁ କିଛି ଶିକ୍ଷା ଦେଇଛି। ଆଜି ସ୍ବାସ୍ଥ୍ୟସେବା ଏବଂ ସୁସ୍ଥତା ବିଷୟରେ ଉତ୍ସୁକତା ଏବଂ ସଚତେନତା ବୃଦ୍ଧି ପାଇଛି।
ସୁସ୍ଥତା ଏବଂ ସ୍ବାସ୍ଥ୍ୟ ନିମନ୍ତେ ଉପକାରୀ ପାରମ୍ପରିକ ପ୍ରାକୃତିକ ଉତ୍ପାଦ ଆମ ଦେଶରେ ପ୍ରଚୁର ପରିମାଣରେ ଉପଲବ୍ଧ। ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନାନ୍ଦୋଳନିବାସୀ ପତାୟତ ସାହୁ ଏ କ୍ଷେତ୍ରରେ ଅନେକ ବର୍ଷ ହେବ ଅଭିନବ କାର୍ଯ୍ୟ କରି ଆସୁଛନ୍ତି। ଦେଢ଼ ଏକର ଜମିରେ ସେ ଔଷଧୀୟ ଉଦ୍ଭିଦ ରୋପଣ କରିଛନ୍ତି। କେବଳ ଚାଷ ନୁହେଁ, ସାହୁ ମଧ୍ୟ ଔଷଧୀୟ ଉଦ୍ଭିଦ ମଧ୍ୟ ଉକ୍ତ ଔଷଧୀୟ ଉଦ୍ଭିଦଗୁଡ଼ିକର ଦଲିଲିକରଣ କରିଛନ୍ତି।

ରାଞ୍ଚିର ସତୀଶ ମଧ୍ୟ ଚିଠି ଜରିଆରେ ମୋ ନିକଟକୁ ସେହି ପ୍ରକାରର ଅନ୍ୟ ସୂଚନା ପଠାଇଛନ୍ତି। ଝାଡ଼ଖଣ୍ଡରେ ଥିବା ଘିକୁଆଁରୀ ଗାଁ ବିଷୟରେ ସେ ମୋର ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଞ୍ଚି ପାଖ ଦେଓରି ଗାଁର ନାରୀମାନେ ମଞ୍ଜୁ କଚ୍ଛପଙ୍କ ନେତୃତ୍ବରେ ‘ବିର୍ଶା କୃଷି ବିଦ୍ୟାଳୟ’ରୁ ଘିକୁଆଁରୀ ଚାଷ ବିଷୟରେ ତାଲିମ ନେଇଛନ୍ତି। ତାଲିମ ଗ୍ରହଣ ପରେ ସେମାନେ ଘିକୁଆଁରୀ ଚାଷ ଆରମ୍ଭ କରିଛନ୍ତି। ଏହି ଚାଷ କେବଳ ସ୍ବାସ୍ଥ୍ୟ କ୍ଷେତ୍ରକୁ ଉପକୃତ କରିନାହିଁ; ସମ୍ପୃକ୍ତ ମହିଳାମାନଙ୍କ ଆୟ ମଧ୍ୟ ବଢ଼ାଇଛି। କୋଭିଡ୍ ମହାମାରୀ ସମୟରେ ବି ସେମାନେ ସେଥିରୁ ଭଲ ଉପାର୍ଜନ କରିଛନ୍ତି।
ଏହାର ଅନ୍ୟତମ ମୁଖ୍ୟ କାରଣ ହେଲା ଆମେ ବ୍ୟବହାର କରୁଥିବା ‘ସାନିଟାଇଜର୍’ ତିଆରି କରିବା ଲାଗି କମ୍ପାନିମାନେ ସିଧାସଳଖ ସେମାନଙ୍କ ଠାରୁ ଘିକୁଆଁରୀ ଖରିଦ କରିନେଉଛନ୍ତି। ଆଜି ୪୦ଜଣିଆ ମହିଳା ଦଳ ଏହି କାମରେ ସମ୍ପୃକ୍ତ ଅଛନ୍ତି। ଅନେକ ଏକର ଜମିରେ ଘିକୁଆଁରୀ ଚାଷ କରାଯାଉଛି।
ସେ ଓଡ଼ିଶାର ପତାୟତ ସାହୁ ହୁଅନ୍ତୁ କି, ଦେଓରି ଗାଁର ମହିଳା ଟିମ୍ ହୁଅନ୍ତୁ, ସେମାନେ ସ୍ବାସ୍ଥ୍ୟ କ୍ଷେତ୍ରରେ କୃଷିକୁ ଯେଉଁ ଭଳି ସଂଯୁକ୍ତ କରିଛନ୍ତି ତାହା ନିଜେ ଗୋଟାଏ ଦୃଷ୍ଟାନ୍ତ ପାଲଟିଛି।
The post ଔଷଧୀୟ ଉଦ୍ଭିଦ ଚାଷର ପ୍ରସାର ପ୍ରସଙ୍ଗରେ କଳାହାଣ୍ଡିର ପତାୟତ ସାହୁଙ୍କ ଦୃଷ୍ଟାନ୍ତ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.from କରୋନା | Sambad https://ift.tt/3m5YLj4
0 Comments