ଭୁବନେଶ୍ବର: ୧୮ରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ ପ୍ରତିଶତ ପିଲାଙ୍କଠାରେ କରୋନା ଲକ୍ଷଣ ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୧୮ ବର୍ଷରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ୧୫ ପ୍ରତିଶତଙ୍କ ସାମାନ୍ୟ ଲକ୍ଷଣ ଓ ବାକି ୫ ପ୍ରତିଶତଙ୍କ ଅଧିକ ଲକ୍ଷଣ ରହୁଛି। ସେହି ୫ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ଭିତରୁ ୩ ପ୍ରତିଶତ ଅକ୍ସିଜେନ ସାହାଯ୍ୟରେ ଠିକ ହୋଇଯାଉଛନ୍ତି। ୨ ପ୍ରତିଶତଙ୍କୁ ଆଇସିୟୁ ଦରକାର ପଡୁଛି। ଏହି ସବୁ ଭିତରେ ବହୁତ କମ ପିଲାଙ୍କୁ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ହୋଇପାରେ। ଏହା କୋଭିଡରୁ ସୁସ୍ଥ ହୋଇଥିବାର ୪ରୁ ୬ ସପ୍ତାହ ଭିତରେ ପିଲାଙ୍କ ଭିତରେ ଦେଖାଯାଇଥାଏ । ପିଲାଙ୍କ ପ୍ରତିଷେଧକ ଶକ୍ତିରେ ସଂକ୍ରମଣ ହେବାରୁ ଏହା ହୁଏ।

ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ହେଲେ ଆଖି, ପାଟି, ପାଦ ଲାଲ ପଡ଼ିଯିବ। ପତଳା ଝାଡ଼ା, ବାନ୍ତି ଓ ପେଟ ଯନ୍ତ୍ରଣା ବି ହେବ। ଧୀରେ ଧୀରେ ଶରୀରର ସବୁ ଅଙ୍ଗ ସଂକ୍ରମିତ ହୋଇଯିବ। ଯେଉଁଥିପାଇଁ ଶରୀରରେ ମଲ୍ଟି ସିଷ୍ଟମ୍ ଫେଲୁଅର୍ ହୋଇ ଶିଶୁ ଗୁରୁତର ହେବ। ଚିକିତ୍ସା ଭାବେ ଅକ୍ସିଜେନ, ଆଇଭି ଫ୍ଲୁଇଡ୍ , ସପୋର୍ଟିଭ୍ ଥେରାପି ଦିଆଯିବ। ଆବଶ୍ୟକ ପଡ଼ିଲେ ଦାମୀ ହାଏ ଡୋଜ ଷ୍ଟିରଏଡ୍ ଦିଆଯିବ, ଯାହା ମହଜୁଦ ଅଛି। ଏହାପରେ ଆମେ ତାକୁ ନିରୀକ୍ଷଣ କରିବୁ। ୨୪ ଘଣ୍ଟାରେ ଠିକ୍ ନ ହେଲେ ପୁଣି ଚିକିତ୍ସା କରାଯିବ। ଏ ଦିଗରେ ଶିଶୁ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆସରିଛି। ପ୍ରାୟ ୧୨ରୁ ୧୫ ପ୍ରତିଶତ ପିଲା କୋଭିଡ ସଂକ୍ରମିତ ହେଉଛନ୍ତି। ମାତ୍ର ୦.୨ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରରେ କିଛି ଶିଶୁଙ୍କ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ଦେଖାଯାଇଥିଲା, ହେଲେ ଏବେ ସବୁ ଠିକ୍ ଅଛି।

The post ୧୮ରୁ କମ୍ ବୟସ୍କ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କରୋନା ଲକ୍ଷଣ ନାହିଁ: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3lbOT6P