ଜେରୁଜେଲମ୍ : ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଟିକାକରଣ କରିବାରେ ଇସ୍ରାଏଲ ହେଉଛି ପ୍ରଥମ ଦେଶ। ଅଥଚ ସେହି ଦେଶରେ ଏବେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯାହା ଦିନେ କୋଭିଡ୍‌-୧୯ରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ଦୌଡ଼ରେ ସବା ଆଗରେ ଥିଲା ତାହା ଏବେ ବିଶ୍ବର ସବୁଠୁ ବଡ଼ ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ଜନ୍ ହପ୍‌କିନ୍ସ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।

୯ ନିୟୁତ ଲୋକସଂଖ୍ୟା-ବିଶିଷ୍ଟ ଏହି ଦେଶ ଟିକାକରଣରେ ପ୍ରଥମ ହେବା ସହ ଗତ ଏପ୍ରିଲରେ ପୁନଶ୍ଚ ବେପାରବଣିଜ ଆରମ୍ଭ କରି ଅର୍ଥନୀତିକୁ ଚଳଚଞ୍ଚଳ କରିବାରେ ବି ଆଗରେ ଥିଲା, ଯେତେବେଳେ କି ୟୁରୋପର ଅଧିକାଂଶ ଦେଶ ଓ ଆମେରିକା ଲକ୍‌ଡାଉନ୍ ଭିତରେ ଥିଲେ। କିନ୍ତୁ ଏବେ କିପରି ହିସାବ ଓଲଟିଲା ତାହା ଇସ୍ରାଏଲ ପାଇଁ ଚିନ୍ତାର ବିଷୟ ହୋଇଛି। ତେବେ ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ ଅନେକ ସ୍ଥାନରେ ପ୍ରତିରୋଧ ଶକ୍ତି ଉପରେ ଭାରି ପଡ଼ୁଥିବା ବେଳେ ଏଠାରେ ଟିକା ତଥାପି କାମ କରୁଥିବା ଦେଖାଯାଉଛି।

ସମ୍ପ୍ରତି ଇସ୍ରାଏଲ ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରିବା ସହ ସମୟକ୍ରମେ ଟିକାର ପ୍ରଭାବ କମିବ ବୋଲି ଗବେଷଣାରୁ ଜଣାପଡ଼ିବା ପରେ ବୟସ୍କଙ୍କୁ ଫାଇଜର-ବାୟୋଏନ୍‌ଟେକ୍ ଟିକାର ବୁଷ୍ଟର ଡୋଜ୍ ଦେବାକୁ ଆରମ୍ଭ କରିଛି। ଦୈନିକ ପ୍ରାୟ ଏକ ଲକ୍ଷ ଇସ୍ରାଏଲୀ ତୃତୀୟ ଡୋଜ୍ ଟିକା ନେଉଛନ୍ତି।

ଡେଲ୍‌ଟା ଭାରିଆଣ୍ଟ ଯୋଗୁ ଇସ୍ରାଏଲରେ ଏବେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ସେପ୍ଟେମ୍ବର ୨ରେ ୧୧,୩୧୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ପୂର୍ବ ତୁଳନାରେ ବହୁତ କମ୍ ରହିଛି। ଜାନୁୟାରୀ ମଧ୍ୟଭାଗରେ ୧,୧୮୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗତ ଅଗଷ୍ଟ ଶେଷ ସୁଦ୍ଧା ୭୫୧ ଜଣ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ବର୍ତ୍ତମାନ ଏହି ଧାରା କମିବାରେ ଲାଗିଛି।

ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ିଲା, ତାହା ପିଲାମାନେ ଟିକା ନେଇ ନ ଥିବା ଯୋଗୁ ହୋଇଛି ବୋଲି କୁହାଯାଉଛି। ଆଉ କେତେକ କ୍ଷେତ୍ରରେ ବ୍ରେକ୍‌ଥ୍ରୁ ଇନ୍‌ଫେକ୍ସନ (ଟିକା ନେଇଥିବା ଲୋକ ସଂକ୍ରମିତ ହେବା) ମଧ୍ୟ ଦେଖାଯାଇଛି। ଟିକା ନେଇଥିବା ଲୋକ ତୁଳନା‌ରେ ଟିକା ନେଇ ନ ଥିବା ଲୋକ ୧୦ ଗୁଣ ଅଧିକ ଗୁରୁତର ହେବାର ସମ୍ଭାବନା ଅଛି ବୋଲି ଇସ୍ରାଏଲ ସ୍ଥିତିକୁ ଦେଖି ବୁଝାପଡ଼ୁଛି। ଟିକା ନେଇଥିବା ଲୋକଙ୍କର ସମୟକ୍ରମେ ପ୍ରତିରୋଧକ କ୍ଷମତା ହ୍ରାସ ପାଉଥିଲେ ମଧ୍ୟ ଟିକା ଏବେ ବି ସେମାନଙ୍କୁ ସୁରକ୍ଷା ଦେଉଛି ବୋଲି କୁହାଯାଉଛି।

The post ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ଦେଶ ଇସ୍ରାଏଲରେ ଏବେ ସଂକ୍ରମଣ ବଢ଼ୁଛି first appeared on Sambad.

from କରୋନା | Sambad https://ift.tt/39a0IVD