
ନୂଆଦିଲ୍ଲୀ : ଦେଶ ପୁଣିଥରେ ‘ଟିକା ମୈତ୍ରୀ’ ଅଭିଯାନ ଆରମ୍ଭ କରିବ। ବଳକା ଟିକାକୁ ଆସନ୍ତା ମାସରୁ ରପ୍ତାନି ଏବଂ ସାହାଯ୍ୟ ଆକାରରେ ଦିଆଯିବ ବୋଲି ସରକାର ଆଜି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଦିନକ ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଆଜି ଏହା ଘୋଷଣା କରିଛନ୍ତି। ବିଶ୍ବର ସବୁଠୁ ଅଧିକ ମାତ୍ରାର ଟିକା ଭାରତରେ ପ୍ରସ୍ତୁତ ହେଉଛି। ତେବେ ସଂକ୍ରମଣ ବଢ଼ିବାରୁ ଦେଶ ପ୍ରଥମେ ନିଜ ଲୋକଙ୍କୁ ଟିକାକରଣ କରିବାପାଇଁ ଗତ ଏପ୍ରିଲରେ ଟିକା ରପ୍ତାନି ବନ୍ଦ କରିଦେଇଥିଲା। ଏବେ ଟିକା ମୈତ୍ରୀ ଅଭିଯାନ ପୁଣିଥରେ ଆରମ୍ଭ ହେବ ବୋଲି ମଣ୍ଡଭିୟା ଘୋଷଣା କରିଛନ୍ତି। ଜାନୁଆରିରେ ଦେଶର ‘ଟିକା ମୈତ୍ରୀ’ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମେ ମାଳଦ୍ବୀପ, ଭୂଟାନ ଏବଂ ଏହାପରେ ଅନ୍ୟ ରାଷ୍ଟ୍ରକୁ ଭାରତ ଟିକା ପଠାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୱାସିଂଟନ୍ ଗସ୍ତ କରିବେ। କ୍ବାଡ୍ ସମ୍ମିଳନୀରେ ଟିକା ସଂକ୍ରାନ୍ତରେ ଆଲୋଚନା ହୋଇପାରେ। ଏହାପୂର୍ବରୁ ଭାରତ ପୁଣିଥରେ ଏହାର ଟିକା ମୈତ୍ରୀ ଅଭିଯାନ ଆରମ୍ଭ କରିଛି। ନୂଆ ଟିକା ମୈତ୍ରୀ ଅଭିଯାନ କୋଭାକ୍ସ ଏବଂ ଅନ୍ୟ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଗୁରୁତ୍ବ ଦେବ ବୋଲି ମଣ୍ଡଭିୟା କହିଛନ୍ତି।
ନୂଆଦିଲ୍ଲୀ: ଯେଉଁମାନେ ଭିନ୍ନକ୍ଷମ ଓ ଟିକାକରଣ କେନ୍ଦ୍ରକୁ ଯାଇପାରିବେ ନାହିଁ, ସେମାନଙ୍କ ଘରକୁ ଘର ଯାଇ ଟିକା ଦେବା ଲାଗି କରାଯାଇଥିବା ଏକ ଜନସ୍ବାର୍ଥ ମାମଲା ଉପରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଚାହିଁଥିବା ବେଳେ ସରକାର ଏଥିପାଇଁ ଦୁଇ ସପ୍ତାହ ସମୟ ମାଗିଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏକ ଭିନ୍ନକ୍ଷମ ଅଧିକାର ସଂଗଠନ ‘ଇଭାରା ଫାଉଣ୍ଡେସନ’ ଦ୍ବାରା ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଉତ୍ତର ଦେବା ପାଇଁ ନୋଟିସ ଜାରି କରିଛନ୍ତି। ଇଭାରା ଫାଉଣ୍ଡେସନର ଯୁକ୍ତି ହେଲା ଭିନ୍ନକ୍ଷମମାନେ ସଂକ୍ରମିତ ହେଲେ ଅଧିକ ଅସହାୟ ହୋଇପଡ଼ିବାର ଆଶଙ୍କା ରହିଛି। ଟିକାକରଣ କେନ୍ଦ୍ରକୁ ଆସି ଟିକା ନେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥିବାରୁ ସେମାନଙ୍କ ଘରକୁ ଘର ଯାଇ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବା ଆବଶ୍ୟକ। ଇଭାରା ଫାଉଣ୍ଡେସନ ତରଫରୁ ଆଇନଜୀବୀ ପଙ୍କଜ ସିହ୍ନା କହିଛନ୍ତି ଯେ, ଘରକୁ ଘର ଯାଇ ଟିକାକରଣ କଲେ ସର୍ବାଧିକ ଟିକାକରଣ ହୋଇପାରିବ ବୋଲି ଭାରତୀୟ ମେଡିକାଲ ଆସୋସିଏସନର ଏକ ଡକୁମେଣ୍ଟରେ ପ୍ରକାଶ ପାଇଛି। ଝାଡ଼ଖଣ୍ଡ ଓ କେରଳରେ ସଫଳଭାବେ ଏହା କରାଯାଇଛି। ତେଣୁ ଭିନ୍ନକ୍ଷମଙ୍କ ପାଇଁ ଅନ୍ୟ ରାଜ୍ୟଗୁଡ଼ିକରେ ଘରକୁ ଘର ବୁଲି ଟିକା ଦିଆଯାଇପାରିବ ବୋଲି ସିହ୍ନା କହିଥିଲେ। ତେବେ ସରକାର ଏହାର ଉତ୍ତର ଦେବା ପାଇଁ ଦୁଇ ସପ୍ତାହ ସମୟ ମାଗିଥିବା ଜଣାପଡ଼ିଛି।
The post ‘ଟିକା ମୈତ୍ରୀ’ ଅଭିଯାନ ପୁଣି ଆରମ୍ଭ ହେବ: ଅକ୍ଟୋବରରୁ ଭାରତ ଟିକା ରପ୍ତାନି କରିବ first appeared on Sambad.from କରୋନା | Sambad https://ift.tt/2ZhzyKH
0 Comments