
ତିରୁଅନନ୍ତପୁରମ୍ : କେରଳ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛି। ଏଭଳି ସ୍ଥିତିରେ କେରଳ ହାଇକୋର୍ଟ କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ଥିବା ଅବଧିକୁ କମାଇବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ରହିଥିବା ଅବଧିକୁ ୧୨ ସପ୍ତାହରୁ ୪ ସପ୍ତାହକୁ କମାଇବା ପାଇଁ କୋର୍ଟ କହିଛନ୍ତି। କୋୱିନ୍ ଆପ୍ରେ ଏଥିପାଇଁ ଆବଶ୍ୟକ ପରିବର୍ତ୍ତନ ପାଇଁ ମଧ୍ୟ କହିଛନ୍ତି। ଯେଉଁମାନେ କମ୍ଦିନରେ ଟିକାନେବାକୁ ଚାହୁଛନ୍ତି ସେମାନଙ୍କୁ ଏହି ସୁବିଧା ମିଳିବା ଉଚିତ। ତେବେ ଘରୋଇ ଚିକିତ୍ସାଳୟରୁ ଟଙ୍କା ଦେଇ ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହି ନିର୍ଦ୍ଦେଶ ସୀମିତ। ସରକାରୀ କୋଟାରୁ ଟିକା ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ନୁହେଁ ବୋଲି ଅଦାଲତ କହିଛନ୍ତି। କୌତୂହଳର ବିଷୟ ହେଲା କେରଳ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ ଲୋକଙ୍କୁ ଆଗୁଆ ସୁରକ୍ଷା ନା ଉତ୍ତମ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ଯେ ଦେଶରେ ଗତ ଜାନୁଆରିରେ ଯେତେବେଳେ ଟିକାକରଣ ଆରମ୍ଭ ହେଲା ସେହି ସମୟରେ କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍ ନେବାର ବ୍ୟବଧାନ ୪ରୁ ୬ ସପ୍ତାହ ରଖାଯାଇଥିଲା। ପରେ ଏହାକୁ ୬ରୁ ୮ ସପ୍ତାହକୁ ବୃଦ୍ଧି କରାଯାଂଇଥିଲା। କିନ୍ତୁ ମେ ମାସରେ ସରକାର ଏଥିରେ ପୁଣି ସଂଶୋଧନ ଆଣି ଏହାକୁ ୧୨ରୁ ୧୬ ସପ୍ତାହ କରିଦେଇଛନ୍ତି। କିନ୍ତୁ କୋଭାକ୍ସିନ ଟିକାର ଦ୍ବିତୀୟ ଡୋଜ୍ ପାର୍ଥକ୍ୟକୁ ଅପରିବର୍ତ୍ତିତ ରଖାଯାଇଛି।
କିଟେକ୍ସ ଗାର୍ମେଣ୍ଟସ ଓ କିଟେକ୍ସ ଚାଇଲ୍ଡୱିୟର ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏହି ଦୁଇ କମ୍ପାନିରରେ ୧୦ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ କମ୍ପାନି ସରକାରଙ୍କୁ ଅପେକ୍ଷା ନକରି ୫୨ ଲକ୍ଷ ୩୦ ହଜାର ୬୮୦ ଟଙ୍କା ମୂଲ୍ୟର ଟିକା କିଣିଥିଲା। କର୍ମଚାରୀମାନଙ୍କୁ ଦ୍ବିତୀୟ ଡୋଜ୍ ଦେବା ପାଇଁ ୧୨ ହଜାର ଡୋଜ୍ରୁ ଅଧିକ ଟିକା କିଣିଥିଲା। କୋୱିନ୍ରେ ପଞ୍ଜୀକରଣର ଆବଶ୍ୟକତା ଥିବାରୁ କମ୍ପାନି ଏହାର କର୍ମଚାରୀମାନଙ୍କୁ ଆଗୁଆ ଦ୍ବିତୀୟ ଡୋଜ୍ ଟିକା ଦେଇପାରୁ ନାହିଁ ବୋଲି ସୂଚନା ଦିଆଯାଇଥିଲା।
The post କେନ୍ଦ୍ରକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ: ୪ ସପ୍ତାହରେ କୋଭିସିଲ୍ଡ ଦ୍ବିତୀୟ ଡୋଜ୍ ଦିଅ first appeared on Sambad.from କରୋନା | Sambad https://ift.tt/3yOCfPX
0 Comments