୧୬୭ ଦିନରେ ସବୁଠୁ କମ୍‌ କରୋନା ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୧୯ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୧୬୭ ଦିନରେ ଦେଶରେ ସବୁଠୁ କମ୍‌ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୪,୪୦,୫୭୨ରେ ପହଞ୍ଚିଛି। ଅନ୍ୟପକ୍ଷେ ମୋଟ୍‌ ସଂକ୍ରମଣ ମାମଲା ୩,୩୦,୨୭, ୬୨୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୩,୯୦୩ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୨୧,୮୧,୯୯୫କୁ ବୃଦ୍ଧି ପାଇଛି। କୋଭିଡ୍‌ ଆରୋଗ୍ୟ ହାର ୯୭.୪୪ ପ୍ରତିଶତ। ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨.୫୮ ପ୍ରତିଶତ। ଲଗାତାର ୭୩ ଦିନ ଧରି ଦେଶରେ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍‌ ହାର ଏବେ ୨.୭୬ ପ୍ରତିଶତ ରହିଛି। ୫ ର‌ାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକରୁ ୯୦ ପ୍ରତିଶତରୁ ଅଧିକ ମାମଲା ଚିହ୍ନଟ ହୋଇଛି। କେବଳ କେରଳରେ ନୂଆ ମାମଲାର ୬୮.୫୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ କେରଳ‌‌ରେ ସଂକ୍ରମଣ ମାମଲା ୨୬,୭୦୧ ଥିବାବେଳେ ମହାରାଷ୍ଟ୍ରରେ ୪,୦୫୭, ଆନ୍ଧ୍ରପ୍ରଦେଶରେ ୧୬୨୩, ତାମିଲନାଡ଼ୁରେ ୧୫୯୨ ଏବଂ କର୍ଣ୍ଣାଟକରେ ୧୧୧୭ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୬୭ ଜଣଙ୍କ ମୃତ୍ୟୁ ହୋଇଛି।

କୋଭିଡ୍‌ ସଂକ୍ରମିତ ବୟସ୍କଙ୍କ ଆର୍ଥ୍ରାଇଟିସ୍ ଚିକିତ୍ସା ଲାଗି ଟୋସିଲିଜୁମାବ ଔଷଧକୁ ଅନୁମୋଦନ
ନୂଆଦିଲ୍ଲୀ : ହାଇଦ୍ରାବାଦର ହେଟରୋ ବାୟୋଲୋଜିକ୍ସ କମ୍ପାନି ସୋମବାର ଜଣାଇଛି ଯେ, କୋଭିଡ୍‌-୧୯ ଦ୍ବାରା ସଂକ୍ରମିତ ବୟସ୍କ ବ୍ୟକ୍ତିମାନଙ୍କ ଆଣ୍ଠୁଗଣ୍ଠି ବାତର ଚିକିତ୍ସା ପାଇଁ ରହିଥିବା ଏହାର ଜେନେରିକ ଔଷଧ ଟୋସିଲିଜୁମାବକୁ ଜରୁରିକାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ ମହାନିୟାମକ (ଡିସିଜିଆଇ) ଅନୁମତି ଦେଇଛି। ଡବ୍ଲୁଏଚ୍‌ଓ ଗତ ଜୁଲାଇରେ ଗୁରୁତର ଅସୁସ୍ଥ କୋଭିଡ୍‌-୧୯ ରୋଗୀ ଏହି ଔଷଧ ବ୍ୟବହାର କରିପାରିବେ ବୋଲି ସୁପାରିସ କରିଥିଲା। ହେଟରୋ ଗ୍ରୁପ୍‌ର ଅଧ୍ୟକ୍ଷ ଡ. ପି. ସାରଥି ରେଡ୍ଡୀ ଏକ ବିବୃତିରେ କହିଛନ୍ତି ଯେ, ବିଶ୍ବ ବଜାରରେ ଏହି ଔଷଧର ଅଭାବ ଦେଖାଦେଇଥିବାରୁ ଭାରତରେ ଯୋଗାଣ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଉକ୍ତ ଅନୁମୋଦନ ଅତ୍ୟନ୍ତ ଜରୁରୀ ଥିଲା। ଆବଶ୍ୟକତା-ଅନୁପାତିକ ବଣ୍ଟନ ପାଇଁ ଆମେ ସରକାରଙ୍କୁ ସହଯୋଗ କରିବୁ ବୋଲି ସେ କହିଥିଲେ। କମ୍ପାନିର ଟୋସିରା ବ୍ରାଣ୍ଡ୍ ନାମ ବିଶିଷ୍ଟ ଉକ୍ତ ଟୋସିଲିଜୁମାବ ଔଷଧକୁ ଅନୁମୋଦନ ମିଳିଥିବାରୁ ଏଣିକି ଡାକ୍ତରମାନେ ବୟସ୍କ କୋଭିଡ୍‌-୧୯ ରୋଗୀଙ୍କ ଆଣ୍ଠୁଗଣ୍ଠି ବାତର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରିପାରିବେ ବୋଲି ରେଡ୍ଡୀ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ୪୦୦ ମିଲିଗ୍ରାମ୍‌ ବଟିକା ଆକାରରେ ମିଳୁଥିବା ଏହି ଔଷଧ ବଜାରରେ ଉପଲବ୍ଧ ହେବ। ଏହାର ବାୟୋକମ୍ପୋଜିସନ ରୋଚ୍‌ସ ଆକ୍ଟେମ୍ରା ବା ରୋଆକ୍ଟେମ୍ରା ଔଷଧ ସହ ସମାନ ବୋଲି ଜଣାପଡ଼ିଛି।

The post ୧୬୭ ଦିନରେ ସବୁଠୁ କମ୍‌ କରୋନା ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3zQSHk0

Post a Comment

0 Comments