
ଭୁବନେଶ୍ବର : ରାଜ୍ୟରେ ଗତ ୨ମାସ ଧରି ଚାଲିଥିବା ବଳକା କୋଭିଡ୍ ମୃତ୍ୟୁ ଘୋଷଣା ଶେଷ ହୋଇଛି। ଦ୍ବିତୀୟ ଲହରରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ୬୯ ଛୁଇଁଥିଲା। ଏଣିକି ଯେତିକି ମୃତ୍ୟୁ ଆସିବ ତାହାକୁ ଅଡିଟ କରି ଘୋଷଣା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୬ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଖୋର୍ଧା ୪, ଯାଜପୁର ଓ କଟକରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କୋଭିଡ୍ ମୃତ୍ୟୁ ସଂଖ୍ୟା ୮୦୨୮ରେ ପହଞ୍ଚିଛି। ରାଜ୍ୟରେ ଆଜି ୭୩୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୪ହଜାର ୬୩୯କୁ ବୃଦ୍ଧି ପାଇଛି। ତେବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୬୫୦୩ରେ ପହଞ୍ଚିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢ଼ିଛି। ୧୮ବର୍ଷରୁ କମ୍ ବୟସର ୧୦୮ ପିଲାଙ୍କ ସମେତ ୭୫୪ଜଣ ଆକ୍ରାନ୍ତ ବାହାରିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୬୧ଜଣ ଚିହ୍ନଟ ହୋଇଛନ୍ତି। ତେବେ କଟକ ଜିଲ୍ଲାରେ କିଛିଦିନ ଧରି ସଂକ୍ରମଣ ଶହେ ତଳେ ରହୁଥିବା ବେଳେ ଏବେ ଶହେ ଡେଇଛଁ। ଜିଲ୍ଲାରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ୪୩, ଯାଜପୁର-ପୁରୀ ୨୮ ଲେଖାଏଁ, ଜଗତସିଂହପୁର ୨୫, ସୁନ୍ଦରଗଡ଼ ୨୬, ମୟୂରଭଞ୍ଜ ୨୩ ଓ ଷ୍ଟେଟ୍ ପୁଲରୁ ୫୯ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୯ହଜାର ୨୨୩କୁ ବୃଦ୍ଧି ପାଇଛି।
ରାଜ୍ୟରେ କରୋନା ପ୍ରଥମ ଲହରରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଦ୍ବିତୀୟ ଲହରରେ ମଧ୍ୟ ସମାନ ଭାବେ ୧୨ ପ୍ରତିଶତ ସଂକ୍ରମିତ ହେଉଥିବା ନଜରକୁ ଆସିଥିଲା। ହେଲେ ବର୍ତମାନ ସମୟରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଶିଶୁ ସଂକ୍ରମିତ ହେଉଛନ୍ତି। ଅନ୍ୟ ବର୍ଗର ଲୋକମାନେ କରୋନା ଟିକା ନେଇ ସାରିଥିବାରୁ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି। ସେଥିପାଇଁ ଶିଶୁମାନଙ୍କ ପ୍ରତି ଅଧିକ ଭୟ ରହିଛି ବୋଲି କହିଛନ୍ତି ଡିଏମ୍ଇଟି ପ୍ରଫେସର ଡା.ସିବିକେ ମହାନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ନିମ୍ନଗାମୀ ହେଉଛି। କେବଳ ଖୋର୍ଧା ଓ କଟକକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ କମ୍ ରହିଛି। ଏପରିକି କିଛି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ତେବେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଶତାଧିକ ୧୮ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। ତୃତୀୟ ଲହରରେ ଏହି ବର୍ଗର ପିଲାମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଏଭଳି ପରିସ୍ଥିତିରେ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ସଂକ୍ରମଣ ରୋକିବା ଏକପ୍ରକାର ଚ୍ୟାଲେଞ୍ଚ ଭାବେ ଉଭା ହୋଇଛି। ପ୍ରଫେସର ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଶିଶୁ ସଂକ୍ରମିତ ହେଲେ ବି ତାହା ଗୁରୁତ୍ବପୂର୍ଣ୍ଣ ଓ ଚିନ୍ତାଜନକ। ଶିଶୁଙ୍କ ସୁରକ୍ଷା ଦାୟିତ୍ବ ଅଭିଭାବକ ଓ ସରକାରଙ୍କର। ସ୍କୁଲକୁ ଯାଉଥିବା ପିଲାମାନଙ୍କ ଦାୟିତ୍ବ ସ୍କୁଲ ଶିକ୍ଷକଙ୍କ ରହିଛି। ଶିଶୁଙ୍କ ସୁରକ୍ଷାର ବାତାବରଣ ଯୋଗାଇଦେବା ଆବଶ୍ୟକ ବର୍ତମାନ ସମୟରେ ମୂଳ ଲକ୍ଷ୍ୟ। ତେଣୁ ଭୂତାଣୁ ଉତ୍ସକୁ ନିୟନ୍ତ୍ରଣରେ ରଖିବାକୁ ହେବ ବୋଲି ସେ କହିଛନ୍ତି।
The post ସରିଲା ବଳକା କୋଭିଡ୍ ମୃତ୍ୟୁ ଘୋଷଣା first appeared on Sambad.from କରୋନା | Sambad https://ift.tt/3gXXWH9
0 Comments