ନୂଆଦିଲ୍ଲୀ: କେତେକ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଆଜି ଗୃହମନ୍ତ୍ରାଳୟ ସ୍ଥିତାବସ୍ଥାରେ ଥିବା କରୋନାଭାଇରସ୍ ମହାମାରୀ ‘କଣ୍ଟେନ୍‌ମେଣ୍ଟ୍‌ ଗାଇଡ୍‌ଲାଇନ୍‌’କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଉପରୋକ୍ତ କୋଭିଡ୍‌-୧୯ କଟକଣା ଜୁନ୍‌ ୨୯ରେ ଜାରି ହୋଇଥିଲା ଏବଂ ପୁନର୍ବାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ତାହାକୁ ବଳବତ୍ତର ରଖିବା ଲାଗି ଆଜି ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି।

ଆଗାମୀ ପୂଜାପର୍ବାଣି ବେ‌ଳାରେ ଯେମିତି ମାତ୍ରାଧିକ ଜନସମାଗମ ନ ହୁଏ, ସେଥିପ୍ରତି ସୁନିଶ୍ଚିତ ରହିବା ପାଇଁ ମଧ୍ୟ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟମାନଙ୍କୁ ସୁନିଶ୍ଚିତ ହେବାକୁ କହିଛି। ଆବଶ୍ୟକ ହେଲେ ସମ୍ଭାବ୍ୟ ଜନସମାଗ ସ୍ଥାନଗୁଡ଼ିକରେ ସ୍ଥାନୀୟ ଭାବେ କଟକଣା ଜାରି କରାଯିବା ଉଚିତ ବୋଲି ମନ୍ତ୍ରାଳୟ କହିଛି।

କୋଭିଡ୍‌-୧୯ ଦମନ ପାଇଁ ପଞ୍ଚସୂତ୍ରୀ ରଣନୀତି ଜାରି ରଖିବାକୁ ମଧ୍ୟ ସଦ୍ୟ ପ୍ରକାଶିତ ‘କୋଭିଡ୍‌ ଗାଇଡ୍‌ଲାଇନ୍‌’ରେ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟମାନଙ୍କୁ କହିଛି। ସେଗୁଡ଼ିକ ହେଲା- ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌-ଭ୍ୟାକ୍ସିନେସନ୍ ଏବଂ କୋଭିଡ୍-ସଂଯମ ଆଚରଣ।

Image Courtesy of India.com

କୋଭିଡ୍‌-୧୯-ସଂଯମ ଆଚରଣ ପ୍ରବର୍ତ୍ତନ ସଂକ୍ରାନ୍ତରେ ରାଜ୍ୟ ସରକାରମାନଙ୍କ ଠାରୁ ପ୍ରତି ସପ୍ତାହରେ ମିଳୁଥିବା ରିପୋର୍ଟ ଉପରେ ଗୁରୁତ୍ବାରୋପ କରି କେନ୍ଦ୍ର ସରକାର କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କ୍‌ ପରିଧାନ, ଶାରୀରିକ ଦୂରତ୍ବ ପାଳନ, ଜରିମାନ ଆଦାୟ ଭଳି କଟକଣା ଧାରା ନିମ୍ନଗାମୀ ହେଉଛି। ଏସବୁ ଉପରେ ଗୁରତ୍ବ ଦେବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ ପୁନଶ୍ଚ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛି।

ଏକ ବିବୃତିରେ ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, କେତୋଟି ରାଜ୍ୟରେ ଭୂତାଣୁର ଆଞ୍ଚଳିକ ବ୍ୟପ୍ତି ଛଡ଼ା, ସମ୍ପ୍ରତି ଜାତୀୟସ୍ତରରେ ମହାମାରୀ ପରିସ୍ଥିତି ବହୁଳ ଭାବେ ସ୍ଥିତର ରହିଛି। ଅଧିକନ୍ତୁ, କେତେକ ଜିଲ୍ଲାରେ ସମୁଦାୟ ସକ୍ରିୟ ସଂକ୍ରମଣ ମାମଲା ଏବଂ ଅଧିକ ପଜିଟିଭିଟି ହାର ଉଦ୍‌ବେଗଜନକ ରହିଛି।

The post ପୂଜାପର୍ବାଣି ବେଳାରେ ଅଧିକ ଜନଗହଳି ନ ହେବା ପ୍ରତି ସୁନିଶ୍ଚିତ ରୁହ: ସେପ୍ଟେମ୍ବର ୩୦ ଯାଏ କୋଭିଡ୍‌ ଗାଇଡ୍‌ଲାଇନ୍‌ ବୃଦ୍ଧି କରି ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3mC1677