
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ହେତୁ ଅନାଥ ହୋଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ମାଗଣାରେ ୫ ଲକ୍ଷ୍ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି।
ଏଥିପାଇଁ ‘ପ୍ରାଇମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ୍ ଆଣ୍ଡ୍ ରିଲିଫ୍ ଇନ୍ ଏମର୍ଜେନ୍ସି ସିଚୁଏସନ୍ସ୍ ଫଣ୍ଡ୍’ରୁ (ପିଏମ୍-କେୟାର୍ସ) ପ୍ରିମିୟମ୍ ଦିଆଯିବ ବୋଲି ସେ କହିଛନ୍ତି।
ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ବନ୍ଧୀୟ ୱେବ୍ସାଇଟ୍ର ଲିଙ୍କ୍ ସହ ଠାକୁର ଉପରୋକ୍ତ ସ୍ବାସ୍ଥ୍ୟ ବୀମା ଯୋଜନାର ସବିଶେଷ ବିବରଣୀ ଟୁଇଟ୍ କରିଛନ୍ତି।
‘ଆୟୁଷ୍ମାନ ଭାରତ’ ହେଉଛି ୨୦୧୮ ଏପ୍ରିଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ଆରମ୍ଭ ହୋଇଥିବା କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ଏହାର ଦୁଇଟି ସ୍ତମ୍ଭ ହେଉଛି ‘ହେଲ୍ଥ୍ ଆଣ୍ଡ୍ ୱେଲ୍ନେସ୍ ସେଣ୍ଟର୍ସ୍’ ଏବଂ ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’। ସାମଗ୍ରିକ ସ୍ବାସ୍ଥ୍ୟ ସେବା ପାଇଁ ଏହି ଦୁଇଟି ବିଭାଗ ମଧ୍ୟରେ ପାରସ୍ପରିକ ଯୋଗସୂତ୍ର ରହିଛି।
ପିଲାମାନଙ୍କ ପାଇଁ ୨୦୨୧ ମେ ୨୯ରେ ପ୍ରଧାନମନ୍ତ୍ରୀ ମୋଦୀ ‘ପିଏମ୍-କେୟାର୍ସ’ ଯୋଜନା ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି କୋଭିଡ୍-୧୯ ମହାମାରୀ ହେତୁ ୨୦୨୦ ମାର୍ଚ ୧୧ରୁ ପିତାମାତା, ବୈଧ୍ୟ ଅଭିଭାବକ କିଂବା ପୋଷ୍ୟ କରି ନେଇଥିବା ପିତାମାତ କିଂବା ପିତା ବା ମାତା ହରାଇଥିବା ପିଲାମାନଙ୍କୁ ସହାୟତା ଯୋଗାଇଦେବା।
ଏହି ଯୋଜାନାର ଲକ୍ଷ୍ୟ ହେଉଛି ପିଲାମାନଙ୍କର ସାମଗ୍ରିକ ତତ୍ତ୍ବାବଧାନ ଏବଂ ସୁରକ୍ଷା ନେବା। ଏହାଛଡ଼ା, ସ୍ବାସ୍ଥ୍ୟ ବୀମା ମାଧ୍ୟମରେ ସେମାନଙ୍କୁ ସୁସ୍ଥ ସବଳ ରଖି ଶିକ୍ଷିତ କରାଇ ୨୩ ବର୍ଷ ବୟସରେ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବା ଦାୟିତ୍ବ ମଧ୍ୟ ଏହି ଯୋଜନା ଅନ୍ତର୍ଭୁକ୍ତ।
The post କୋଭିଡ୍-୧୯ରେ ଅନାଥ ହୋଇଥିବା ପିଲାଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ଦେବେ କେନ୍ଦ୍ର ସରକାର first appeared on Sambad.from କରୋନା | Sambad https://ift.tt/3Af9s83
0 Comments