ନୂଆଦିଲ୍ଲୀ: ୨୦୨୨ ଶେଷସୁଦ୍ଧା ଭାରତରେ ଅନ୍ୟୂନ ୧ ବିଲିୟନ୍ ଡୋଜ୍‌ କୋଭିଡ୍‌-୧୯ ଟିକା ଉତ୍ପାଦନ କରିବା ନିମନ୍ତେ ‘କ୍ବାଡ୍‌’ ରାଷ୍ଟ୍ରସମୂହ ଲକ୍ଷ୍ୟ ରଖିଥିବା କଥା ବୁଧବାର ଦିନ ହ୍ବାଇଟ୍‌ ହାଉସ୍ କହିଛି।

ବିନା କୌଣସି ଅପ୍ରୀତିକର ସର୍ତ୍ତରେ ସମଗ୍ର ବିଶ୍ବରେ ଗରିବମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ଆମେରିକା ପୁଣି ଥରେ ଦୋହରାଇଛି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଆଦି ରାଷ୍ଟ୍ରସମୂହ ‘କ୍ବାଡ୍‌’ ଗ୍ରୁପ୍‌ ଗଠନ କରିଛନ୍ତି। ଦକ୍ଷିଣପୂର୍ବ ଏସିଆକୁ ୧ ବିଲିୟନ୍‌ କୋଭିଡ୍‌-୧୯ ଟିକା ଯୋଗାଇ ଦେବା ଲାଗି ଗତ ମାର୍ଚ ମାସରେ ‘କ୍ବାଡ୍‌’ ନେତାମାନେ ଆୟୋଜନ କରିଥିବା ସର୍ବପ୍ରଥମ ଭର୍ଚ୍ୟୁଆଲ୍‌ ସଭାରେ ପ୍ରତିଶ୍ରୁତି ଦେଇଥିଲେ।

Image Courtesy of India Today

ଦୈନିକ ସାମ୍ବାଦିକ ସମ୍ମିନୀରେ ହ୍ବାଇଟ୍‌ ହାଉସ୍‌ର ପ୍ରେସ୍ ସଚିବ ଜେନ୍ ସାକି ସାମ୍ବାଦିକମାନଙ୍କୁ କହିଛନ୍ତି, ୨୦୨୨ ଶେଷସୁଦ୍ଧା ଏସିଆ ଅଞ୍ଚଳ ନିମନ୍ତେ ଭାରତରେ ଅନ୍ୟୂନ ୧ ବିଲିୟନ୍‌ ଡୋଜ୍ କୋଭିଡ୍‌ ଟିକା ଉତ୍ପାଦନରେ ସହାୟତା ପାଇଁ ଆମ ‘କ୍ବାଡ୍‌’ ଭାଗିଦାରୀ ଲକ୍ଷ୍ୟ ରଖିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ସମଗ୍ର ବିଶ୍ବକୁ ୧୧୦ ନିୟୁତ ଟିକା ଯୋଗାଇ ସାରିଲାଣି। ଅନ୍ୟ ଦେଶମାନେ ମିଳିମିଶି ଦାନ କରିଥିବା ଟିକା ଡୋଜ୍‌ ଠାରୁ ଆମ ପ୍ରଦତ୍ତ ଟିକା ଅଧିକ ହେବ। ଆମେ ମଧ୍ୟ ସ୍ପଷ୍ଟ କରି ଦେଉଛୁ ଯେ, ଏହା ଅୟମାରମ୍ଭ ମାତ୍ର। ଏହାଛଡ଼ା, ଆମେ ଚଳିତ ମାସ ଶେଷ ଆଡ଼କୁ ‘ଫାଇଜର୍‌’ରୁ ଖରିଦ କରିଥିବା ୫୦୦ ନିୟୁତ ଟିକା ଦାନ କରିବୁ।

‘ଜି-୭’ରେ ମଧ୍ୟ ଆମ‌େ କିଛି ପଦକ୍ଷେପ ନିଆଯାଇଥିବା ଦେଖିଲୁ। ଆହୁରି କିଛି ପଦକ୍ଷେପ ନିଆଯିବା ଆବଶ୍ୟକ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ତଥାପି ୧୧ ବିଲିୟନ୍ ଡୋଜ୍‌ ଟିକା ଆବଶ୍ୟକ। ତେଣୁ, ବିଶ୍ବସ୍ତରୀୟ ବୈଠକରେ ଏହାକୁ ଆମେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କରିବୁ ବୋଲି ବିଚାର କରୁଛୁ।

The post ଭାରତରେ ୧ ବିଲିୟନ୍ ଡୋଜ୍‌ କୋଭିଡ୍-୧୯ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ‘କ୍ବାଡ୍‌’ ରାଷ୍ଟ୍ରସମୂହ: ଆମେରିକା first appeared on Sambad.

from କରୋନା | Sambad https://ift.tt/3rVL74z