ନୂଆଦିଲ୍ଲୀ : କରୋନାରେ ସ୍ବାମୀଙ୍କ ଫୁସଫୁସ୍‌ ନଷ୍ଟ ହୋଇଯିବାରୁ ଜଣେ ମହିଳା ଫୁସଫୁସ୍‌ ପ୍ରତିରୋପଣ ପାଇଁ ୧ କୋଟି ଟଙ୍କା ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମହିଳାଙ୍କ ସ୍ବାମୀ ଗତ ମେ’ରୁ କରୋନା ଆକ୍ରାନ୍ତ ଅଛନ୍ତି ଏବଂ ତାଙ୍କର ଦୈନିକ ଚିକିତ୍ସା ପାଇଁ ଏବେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଇତି ମଧ୍ୟରେ ୧ କୋଟି ଟଙ୍କା ତାଙ୍କ ସ୍ବାସ୍ଥ୍ୟ ବାବଦରେ ଖର୍ଚ୍ଚ ହୋଇସାରିଛି। ଆଉ ଅଧିକ ଚିକିତ୍ସା ପାଇଁ ସେମାନଙ୍କ ପାଖରେ ଅର୍ଥ ନାହିଁ। ସମସ୍ତ ସଞ୍ଚୟ ଶେଷ ହୋଇଯାଇଛି। ତାଙ୍କ ସ୍ବାମୀଙ୍କ ଫୁସଫୁସ୍‌ ପ୍ରତିରୋପଣ ଆବଶ୍ୟକ ଏବଂ ଏଥିପାଇଁ ୧ କୋଟି ଟଙ୍କା ଜରୁରୀ ଆବଶ୍ୟକ ଥିବାରୁ ମହିଳା ପିଏମ୍‌ କେୟାର୍‌ ଫଣ୍ଡ୍‌ରୁ ଆର୍ଥିକ ସହାୟତା ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍ ଏଲ୍‌ ନାଗେଶ୍ବର ରାଓ ଏବଂ ଅନିରୁଦ୍ଧ ବୋଷ୍‌ଙ୍କ ଖଣ୍ଡପୀଠ ମହିଳାଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ମହିଳା ପୂର୍ବରୁ ଆର୍ଥିକ ସହଯୋଗ ପାଇଁ ଅନୁରୋଧ କରିଥିଲେ ଏବଂ ତାଙ୍କୁ ପିଏମ୍‌ କେୟାର୍‌ସ ଫଣ୍ଡ୍‌ରୁ ୩ ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡ୍‌ରୁ ୨ ଲକ୍ଷ ମିଳିଛି।

ଆବେଦନ କରିଥିବା ମହିଳାଙ୍କ ସ୍ବାମୀ ହାଇଦ୍ରାବାଦ୍‌ର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି ଅଗଷ୍ଟ ୧୦ରେ ରଖିଛନ୍ତି। ଆବେଦନକାରୀ ମହିଳାଙ୍କ ନାମ ଶିଲା ମେହର। ୩୧ ବର୍ଷୀୟା ଶିଲା ୨୦୨୦ରେ ବିବାହ କରିଥିଲେ। ମେହରା ତାଙ୍କ ଆବେଦନରେ କହିଛନ୍ତି, ଆର୍ଥିକ ସଙ୍କଟ ପାଇଁ କୌଣସି ଜୀବନ ଶେଷ ହେବା ଉଚିତ ନୁହେଁ। ସଠିକ୍‌ ସମୟରେ ରାଷ୍ଟ୍ର ସହଯୋଗ କରିବା ଆବଶ୍ୟକ। ଏଭଳି ଜଟିଳ ସ୍ଥିତିରେ ପିଏମ୍‌ କେୟାର୍‌ସ ଫଣ୍ଡ୍‌ରୁ ସେ ୧ କୋଟି ଟଙ୍କା ଚାହିଛନ୍ତି। ତେବେ ଘରୋଇ ହସ୍ପିଟାଲରେ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ଦାବି କରି ମହିଳା ଏଭଳି ଆବେଦନ କରିଛନ୍ତି କି ବୋଲି ଖଣ୍ଡପୀଠ ତାଙ୍କ ଓକିଲଙ୍କୁ ପ୍ରଶ୍ନ କରିବା ସହ ଏ ଦିଗରେ ଅଧିକ ତଥ୍ୟ ଲୋଡ଼ିଛନ୍ତି।

The post କରୋନାରେ ସ୍ବାମୀଙ୍କ ଫୁସଫୁସ୍‌ ନଷ୍ଟ, ପ୍ରତିରୋପଣ ଖର୍ଚ୍ଚ ଦାବି କରି ସୁପ୍ରିମ୍‌ କୋର୍ଟରେ ମହିଳା first appeared on Sambad.

from କରୋନା | Sambad https://ift.tt/3ClJVw5