ନୂଆଦିଲ୍ଲୀ: କୋଭିଡ୍‌-୧୯ର ତୃତୀୟ ଲହର ଆସନ୍ନ ପ୍ରାୟ ଏବଂ ଅକ୍ଟୋବର ସୁଦ୍ଧା ତାହା ଶୀର୍ଷ ସ୍ପର୍ଶ କରିପାରେ ବୋଲି ଗୃହମନ୍ତ୍ରାଳୟର ଏକ ବିଶେଷଜ୍ଞ କମିଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସତର୍କ କରାଇ ଦେଇଛି।

ଗୃହ ମନ୍ତ୍ରାଳୟଦ୍ବାରା ‘ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌’ (ଏନ୍‌ଆଇଡିଏମ୍‌) ଅଧୀନରେ ଗଠିତ ଏହି ବିଶେଷଜ୍ଞ କମିଟି ଆହୁରି ମଧ୍ୟ କହିଛି ଯେ, କୋଭିଡ୍‌-୧୯ର ତୃତୀୟ ଲହର ପିଲାମାନଙ୍କୁ ପ୍ରଭାବିତ କରିପାରେ। ତେଣୁ, ପ୍ରାପ୍ତବୟସ୍କଙ୍କ ପରି ସେମାନେ ମଧ୍ୟ ବିପଦଗ୍ରସ୍ତ ହୋଇପାରନ୍ତି।

ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ସମଗ୍ର ଦେଶରେ ଥିବା ଶିଶୁ ଚିକିତ୍ସାଳୟ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇ ବିଶେଷଜ୍ଞ କମିଟି ଏଥିପାଇଁ ଡାକ୍ତରୀ ଭିତ୍ତିଭୂମି ତ୍ବରାନ୍ବିତ କରିବା ଲାଗି ପରାମର୍ଶ ଦେଇଛି।

Image Courtesy of The Times of India

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେଇଥିବା ରିପୋର୍ଟରେ ଏହି କମିଟି ଲେଖିଛି ଯେ, ଏଭଳି ପରିସ୍ଥିତିର ମୁକାବିଲା ଲାଗି ଡାକ୍ତରଖାନା, ଡାକ୍ତର, ଡାକ୍ତରୀ କର୍ମଚାରୀ, ଭେଣ୍ଟିଲେଟର୍, ଆମ୍ବୁଲାନ୍ସ୍‌ ଏବଂ ଡାକ୍ତରୀ ଉପକରଣ ଅଭାବ ରହିଛି। ଯଦି ବହୁସଂଖ୍ୟକ ପିଲା ଆକ୍ରାନ୍ତ ହୁଅନ୍ତି, ଯାହା କିଛି ଅଛି ସେଥିରେ ପରିସ୍ଥିତିର ସମ୍ମୁଖୀନ କରାଯାଇ ପାରିବ ନାହିଁ।

‘ଥାର୍ଡ ୱେଭ୍‌ ପ୍ରିପାର୍ଡନେସ୍‌: ଚିଲ୍‌ଡ୍ରେନ୍‌ ଭଲ୍‌ନେରେଭିଲିଟି ଆଣ୍ଡ୍‌ ରିକଭରି’ ଶୀର୍ଷକ ଏହି ରିପୋର୍ଟରେ ମହାମାରୀର ତୃତୀୟ ଲହର ପିଲାଙ୍କୁ ପ୍ରଭାବିତ କରିବା ସମ୍ଭାବନା ଏବଂ ତାହାର ମୁକାବିଲା ପାଇଁ ରଣକୌଶଳ ପ୍ରସଙ୍ଗ ଆଦି ରହିଛି। ଅନ୍ୟାନ୍ୟ ଶାରୀରିକ ସମସ୍ୟା ଏବଂ ଅକ୍ଷମତା ଥିବା ପିଲାମାନଙ୍କ ଟିକାକରଣ ବାବଦରେ ବିଶେଷଜ୍ଞ କମିଟି ଗୁରୁତ୍ବାରୋପ କରିଛି।

The post କୋଭିଡ୍‌-୧୯ ତୃତୀୟ ଲହର ଆସନ୍ନ, ପିଲାଙ୍କୁ ପ୍ରଭାବିତ କରିପାରେ, ଶିଶୁ ଚିକିତ୍ସାଳୟ ଯଥେଷ୍ଟ ନୁହେଁ ବୋଲି ସତର୍କ କରାଇଲା ଗୃହମନ୍ତ୍ରାଳୟ କମିଟି first appeared on Sambad.

from କରୋନା | Sambad https://ift.tt/2We1D3V