
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ର ଦୈନିକ ସଂକ୍ରମଣ ମାମଲା ଆଜି ପୁଣି ୪୧ ହଜାର ଉପରେ ରହିଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୪୯୦ ଲୋକଙ୍କ ମୃତ୍ୟୁ ଘଟିଛି। ଏବେ କେରଳରେ ସର୍ବାଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଏଠାରେ ୨୩,୫୦୦ ନୂଆ ମାମଲା ସାମ୍ନାକୁ ଆସିଛି। ନୂଆ ସଂକ୍ରମଣର ୮୫ ପ୍ରତିଶତ ମାମଲା କେବଳ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକରୁ ଆସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସଂକ୍ରମଣର ୫୭ ପ୍ରତିଶତ ମାମଲା କେରଳରୁ ଚିହ୍ନଟ ହୋଇଛି। ଗତକାଲି ମହାରାଷ୍ଟ୍ରରେ ୫୫୬୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡ଼ୁରେ ୧୯୬୪, ଆନ୍ଧ୍ର ପ୍ରଦେଶରେ ୧୮୬୯ ଏବଂ କର୍ଣ୍ଣାଟକରେ ୧୮୨୬ ମାମଲା ଚିହ୍ନଟ ହୋଇଛି। ୪୯୦ ନୂଆ କରୋନା ମୃତ୍ୟୁରୁ କେବଳ ମହାରାଷ୍ଟ୍ରରେ ୧୬୩ ଥିବା ବେଳେ କେରଳରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ଆରୋଗ୍ୟ ହାର ୯୭.୪୫ ପ୍ରତିଶତ ରହିଛି ଏବଂ ବିଗତ ୨୪ ଘଣ୍ଟାରେ ୪୦୦୧୩ ରୋଗୀ ଆରୋଗ୍ୟ ହୋଇ ହସ୍ପିଟାଲରୁ ଫେରିଛନ୍ତି। ଦେଶରେ ଏବେ ୩,୮୬, ୩୫୧ ସକ୍ରିୟ କରୋନା ରୋଗୀ ଅଛନ୍ତି।
ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଏଣିକି କେବଳ ରବିବାର ହିଁ ଲକ୍ଡାଉନ୍ ଜାରି ରଖିବେ। ଶନିବାର ହେଉଥିବା ଲକ୍ଡାଉନ ପ୍ରତ୍ୟାହାର କରାଯିବାକୁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ମିଜୋରାମରେ ଆଜି ଆସିଥିବା ୫୭୬ ନୂଆ ସଂକ୍ରମଣ ମାମଲାରେ ୧୨୮ ଜଣ ଶିଶୁ ଥିବାରୁ ସରକାର ଏ ଦିଗରେ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି।
ବେଙ୍ଗାଲୁରୁ: ୬ଦିନରେ ୩୦୦ରୁ ଅଧିକ ଶିଶୁ ଆକ୍ରାନ୍ତ
ବେଙ୍ଗାଳୁରୁ: ବେଙ୍ଗାଲୁରୁରେ ପୁଣି କୋଭିଡ୍ର ଦ୍ରୁତ ସଂକ୍ରମଣ ଆରମ୍ଭ ହୋଇଛି ଏବଂ ମହାନଗର କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ଅଗଷ୍ଟ ୫ରୁ ୧୦ ମଧ୍ୟରେ ୧୦ ବର୍ଷରୁ କମ ବୟସର ପ୍ରାୟ ୧୨୭ ଜଣ ଶିଶୁ କୋଭିଡ ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ୧୦ରୁ ୧୫ ବର୍ଷ ବୟସ ବର୍ଗର ଶିଶୁଙ୍କ ମଧ୍ୟରୁ ୧୭୪ ଜଣଙ୍କ ଠାରେ କୋଭିଡ ସଂକ୍ରମଣ ଦେଖାଦେଇଛି। କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରିବ ବୋଲି ଆଶଙ୍କା କରାଯାଉଛି। ସହରର ପିଲାଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ଟିକାର ଅନୁମୋଦନ ହୋଇନାହିଁ। ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ଟିକାକରଣ ଆରମ୍ଭ କରିବାକୁ ବିଭିନ୍ନ ମହଲ ଗୁରୁତ୍ବାରୋପ କରିଛନ୍ତି।
The post ୫ ରାଜ୍ୟରେ ନୂଆ ସଂକ୍ରମଣର ୮୫% first appeared on Sambad.from କରୋନା | Sambad https://ift.tt/3ACSmRN
0 Comments