
ନୂଆଦିଲ୍ଲୀ: ମଙ୍ଗଳବାର କୋଭିଡ୍ ମାମଲାର ଆକସ୍ମିକ ବୃଦ୍ଧି ଘଟଣାର ଯାଞ୍ଚ ପାଇଁ କେରଳର ଆଠଟି ଜିଲ୍ଲା ଗସ୍ତରେ ଆସିଥିଲା ଛଅଜଣିଆ କେନ୍ଦ୍ରୀୟ ଦଳ। ଏହି କେନ୍ଦ୍ରୀୟ ଦଳ ନିଜର ଅନୁସନ୍ଧାନ ତଥ୍ୟ ଉପସ୍ଥାପନ କରିଛନ୍ତି ଏବଂ ସତର୍କ ସୂଚନା ଦେଇଛନ୍ତି ଯେ ଯଦିଓ ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଛନ୍ତି ତଥାପି ଅବସ୍ଥା ଆହୁରି ଖରାପ ହୋଇପାରେ। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ମୋଟ ସଂକ୍ରମଣ ୪.୬୪ ଲକ୍ଷ ଛୁଇଁପାରେ। କେରଳର ରିପ୍ରଡକ୍ଟିଭ୍ ଭାଲ୍ୟୁ ୧.୧୨ ରହିଛି, ଯାହାର ଅର୍ଥ ହେଉଛି ପ୍ରତ୍ୟେକ ୧୦୦ ସଂକ୍ରମିତ ବ୍ୟକ୍ତି ଅନ୍ୟ ୧୧୨ ଜଣଙ୍କୁ ସଂକ୍ରମିତ କରୁଛନ୍ତି। ଉକ୍ତ କେନ୍ଦ୍ରୀୟ ଦଳର ମୁଖ୍ୟ ଥିବା ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ର ନିର୍ଦ୍ଦେଶକ ଡ. ସୁଜିତ କୁମାର ସିଂ କହିଛନ୍ତି ଯେ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକୁ ପୁଣି ଖୋଲିବା ଏବଂ ଆଗକୁ ଆସୁଥିବା ଓନମ୍ ପର୍ବ କେରଳର କୋଭିଡ୍ ପରିସ୍ଥିତି ପାଇଁ ଗୁରୁତର ବିପଦ।
ଏଥି ପ୍ରତି ରାଜ୍ୟ ସରକାର ସତର୍କ ରହିବା ଦରକାର। କେନ୍ଦ୍ରୀୟ ଦଳ କହିଛି ଯେ, କେରଳରେ ୯୦ ପ୍ରତିଶତ ସଂକ୍ରମଣ ଡେଲ୍ଟା ଭାରିଆଣ୍ଟ ଯୋଗୁ ହୋଇଛି। ରାଜ୍ୟରେ ବହୁ ସଂଖ୍ୟକ ଲୋକ ପୁନଃସଂକ୍ରମିତ ହୋଇଛନ୍ତି, ଅର୍ଥାତ୍ ଟିକା ନେବା ପରେ ବି ସଂକ୍ରମିତ ହୋଇଛନ୍ତି। କେରଳର ପତନାମଥିଟାରେ ୧୪,୯୭୪ଟି ପୁନଃସଂକ୍ରମଣ ଘଟଣା ଘଟିଛି, ଯେଉଁମାନଙ୍କ ମଧ୍ୟରେ ୫,୦୪୨ ଜଣ ଉଭୟ ଡୋଜ୍ ଟିକା ନେଇଥିଲେ। ତେବେ ଦୁଇ ଡୋଜ୍ ଟିକା ନେବା ପରେ ବି ସଂକ୍ରମିତ ହୋଇଥିବା ଲୋକମାନେ ଗୁରୁତର ହୋଇଛନ୍ତି କି ନା ଏବଂ ଦ୍ବିତୀୟ ଡୋଜ୍ ଟିକା ନେବାର କେତେଦିନ ପରେ ସେମାନେ ପୁନଃସଂକ୍ରମିତ ହୋଇଛନ୍ତି, ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଲାଗି କେନ୍ଦ୍ର ସରକାର ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେରଳରେ ବୟସ୍କ ଲୋକଙ୍କ ସଂଖ୍ୟା ବହୁତ ଅଧିକ ଏବଂ ରାଜ୍ୟର ୩୦ ପ୍ରତିଶତ ଲୋକ ମଧୁମେହ-ପୀଡ଼ିତ। ତେଣୁ ରାଜ୍ୟରେ ସଂକ୍ରମଣ ଏତେ ବୃଦ୍ଧି ପାଉଛି ବୋଲି କେନ୍ଦ୍ରୀୟ ଟିମ୍ ମତ ପ୍ରକାଶ କରିଛନ୍ତି।
The post କେରଳରେ ୧୫ ହଜାର ପୁନଃସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3jBQ6mU
0 Comments