
ଭୁବନେଶ୍ବର: ଏଣିକି ରାଜ୍ୟରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟ୍ଡାଉନ୍ ରହିବନି। ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର, ମଲ୍ ଆଦି ଖୋଲା ରହିବ। କେବଳ ସବୁ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ଆଜି ଅପରାହ୍ନରେ ଉନ୍ନୟନ କମିସନର ଶ୍ରୀ ଜେନା ସୂଚନା ଦେଇ କହିଛନ୍ତି ଯେ ଏବେ ସବୁ ପ୍ରତିଷ୍ଠାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ହେଲେ ସମସ୍ତ ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶ ବାରଣ ହୋଇଛି। ବିଭିନ୍ନ ପ୍ରେକ୍ଷାଳୟ, ସଭାଗୃହ, ଏହି ସୁବିଧା ଥିବା ସ୍ଥାନଗୁଡ଼ିକରେ ଅଫିସିଆଲ୍ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ପାଇଁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ। ସୂଚନାକେନ୍ଦ୍ର, ପାଠାଗାର ଖୋଲିବାକୁ ଅନୁମତି ଦିଆଯାଇଛି। ଏଠାରେ କୋଭିଡ ନିୟମ ମାନି ସବୁ କାର୍ଯ୍ୟ ହେବ।
ସେହିପରି ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟା, ଶେଷକୃତ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ୨୫୦ଜଣ ଲୋକ ଯୋଗଦେଇପାରିବେ। ବିବାହ ଶୋଭାଯାତ୍ରା ତଥା ବରଯାତ୍ରୀ ଦଳରେ ସର୍ବାଧିକ ୫୦ଜଣ ସାମିଲ୍ ହୋଇପାରିବେ। ଏହି ୫୦ଜଣରେ ବର, ପୁରୋହିତ, ସାଙ୍ଗସାଥୀ, ବାଜାବାଲା, ଲାଇଟ୍ ଏବଂ ସାଉଣ୍ଡ କର୍ମଚାରୀଙ୍କୁ ଗଣତି କରାଯିବ। ସମସ୍ତ ଧାର୍ମିକ ଉତ୍ସବ, ମହୋତ୍ସବ, ପୂଜା ଆଦି କାର୍ଯ୍ୟକ୍ରମ ସରକାରଙ୍କ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ଅାୟୋଜନ ହେବ। ରାତ୍ରିକାଳୀନ କର୍ଫ୍ୟୁରେ ସହରାଞ୍ଚଳରେ ହୋମ୍ ଡେଲିଭରି ସେବା, ଔଷଧ ଦୋକାନ, କୋଭିଡ ପରୀକ୍ଷା, ଟିକାକରଣ ସମ୍ବନ୍ଧୀୟ ଯାତାୟତ, ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଯାତାୟତ ପାଇଁ ଅନୁମତି ମିଳିବ। ବିମାନବନ୍ଦର, ରେଳଷ୍ଟେସନ ଓ ବସ୍ଷ୍ଟାଣ୍ଡକୁ ଯାତାୟତ ପାଇଁ ଘରୋଇ ଗାଡ଼ି ଓ ଅନ୍ୟାନ୍ୟ ଗାଡ଼ି ଚାଲିପାରିବ। ହେଲେ ମହାନଗର ନିଗମ କମିସନର, ପୁଲିସ କମିସନର, ଜିଲ୍ଲାପାଳମାନେ ଚାହିଁଲେ ଏହା ଉପରେ କଟକଣା ଲଗାଇପାରିବେ।
ଅପରପକ୍ଷେ ଯଦି କୌଣସି ଅଞ୍ଚଳରେ ସପ୍ତାହକ ମଧ୍ୟରେ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର୍) ୧୦% ରହୁଥିବ କିମ୍ବା ହସ୍ପିଟାଲରେ ଅକ୍ସିଜେନ ଶଯ୍ୟା ବା ଆଇସିୟୁ ଶଯ୍ୟା ୬୦% ଭର୍ତ୍ତି ହୋଇଯିବ ତେବେ ସ୍ଥାନୀୟ ପ୍ରଶାସନ ଉକ୍ତ ଅଞ୍ଚଳ ପାଇଁ ତୁରନ୍ତ ପଦକ୍ଷେପ ନେବେ। ଏହାସହ ସବୁ ସ୍ଥାନୀୟ ପ୍ରଶାସନ କେଉଁ ହସ୍ପିଟାଲରେ କେତେ ଶଯ୍ୟା ଅଛି, କେତେ ଚିକିତ୍ସିତ ହେଉଛନ୍ତି ତାହାକୁ ଅନଲାଇନ୍ରେ ଅପ୍ ଟୁ ଡେଟ୍ କରିବା ସହ ଗଣମାଧ୍ୟମକୁ ପ୍ରତିଦିନ ସୂଚନା ଦେବାକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ସହ କେନ୍ଦ୍ର ସରକାରଙ୍କ କୋଭିଡ ଗାଇଡଲାଇନ୍ ମାନିବାକୁ କୁହାଯାଇଛି।
The post ହଟିଲା ସପ୍ତାହାନ୍ତ ସଟ୍ଡାଉନ୍: ବିବାହ, ବ୍ରତ, ଅନ୍ତ୍ୟେଷ୍ଟିରେ ୨୫୦ ଜଣଙ୍କୁ ଅନୁମତି first appeared on Sambad.from କରୋନା | Sambad https://ift.tt/3yv8009
0 Comments