
ଭୁବନେଶ୍ବର : ରାଜ୍ୟରେ ୩ଦିନ ଧରି ହଜାରେରୁ ତଳକୁ ଦୈନିକ ସଂକ୍ରମଣ ଖସିବା ପରେ ପୁଣିଥରେ ହଜାରେ ଡେଇଁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ କରୋନା ସଂକ୍ରମଣ ୧୦ଲକ୍ଷ ମୁହାଁ ହୋଇଛି। ରାଜ୍ୟରେ କରୋନାର ଦ୍ବିତୀୟ ଲହର ସରିନାହିଁ; ହେଲେ ତାହା ପୂର୍ବରୁ ରାଜ୍ୟରେ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ସଂକ୍ରମଣ ଦେଖିବାକୁ ମିଳିଲାଣି। ଲଗାତାର ଭାବେ ରାଜ୍ୟରେ ଶହେରୁ ଅଧିକ ପିଲା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ଘଣ୍ଟାରେ ୧୨୮ ପିଲାଙ୍କୁ ଚିହ୍ନଟ କରାଯାଇଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା, ଏବେ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ଶହେ ଉପରେ ରହିଛି। ପ୍ରଥମ ଲହରରେ ମଧ୍ୟ ଏଭଳି ସଂକ୍ରମଣ ଦେଖିବାକୁ ମିଳିଥିଲା। ତୃତୀୟ ଲହରକୁ ନଜରରେ ରଖି କୋଭିଡ ହସ୍ପିଟାଲଗୁଡ଼ିକରେ ପିଲାଙ୍କ ଲାଗି ଶଯ୍ୟା ସଂରକ୍ଷଣ କରାଯାଇଛି। ତେଣୁ ଆଜିର ସ୍ଥିତିକୁ ନେଇ କେହି ଆତଙ୍କିତ ହେବା ଅନୁଚିତ। ସରକାର ଏହାକୁ ପ୍ରତିଦିନ ନିରୀକ୍ଷଣ କରୁଛନ୍ତି ଓ ଯାହା ପଦକ୍ଷେପ ନେବା କଥା ନିଆଯାଉଛି। ଆବଶ୍ୟକ ପଡ଼ିଲେ ସ୍ବତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ ବୋଲି ବଭାଗୀୟ ଅଧିକାରୀ ମତ ରଖିଛନ୍ତି।
ଗତ ୨୪ ଘଣ୍ଟାରେ ଖୋର୍ଧାରୁ ସର୍ବାଧିକ ୩୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୧୭୬, ଯାଜପୁର ୫୬, ଜଗତସିଂହପୁର ୪୩, କେନ୍ଦ୍ରାପଡ଼ା ୩୭, ମୟୂରଭଞ୍ଜ ୩୬, ପୁରୀ ୩୪, ବାଲେଶ୍ବର ୨୨, ଅନୁଗୁଳ ୨୯ ଓ ଷ୍ଟେଟ୍ ପୁଲରୁ ୮୮ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟ ୯ଲକ୍ଷ ୯୮ହଜାର ୧୮୭ରେ ପହଞ୍ଚିଛି। ରାଜ୍ୟରେ ଆଉ ୬୮ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ କଟକ ୧୮, ଜଗତସିଂହପୁର ୧୦, ଖୋର୍ଧା ୭, ଢେଙ୍କାନାଳ ୬, ଭଦ୍ରକ-ମୟୂରଭଞ୍ଜରେ ୫ ଲେଖାଏଁ, ଅନୁଗୁଳ ୪, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା ୩ ଲେଖାଏଁ, ଗଞ୍ଜାମ ୨, ନୟାଗଡ଼, ସୁନ୍ଦରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୭୧୫୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୦୦୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୮୨ହଜାର ୩୧୯କୁ ବୃଦ୍ଧି ପାଇଛି। ଏବେ ୮୬୬୦ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
The post ରାଜ୍ୟରେ କରୋନା ସଂକ୍ରମଣ ୧୦ଲକ୍ଷ ମୁହାଁ, ଦିନକୁ ଶହେ ଉପରେ ଶିଶୁଙ୍କ ସଂକ୍ରମଣ ଜାରି first appeared on Sambad.from କରୋନା | Sambad https://ift.tt/3z4PU6b
0 Comments