
ଭୁବନେଶ୍ୱର: କରୋନା ଭାରଇସ୍ ସଂକ୍ରମଣ ପାଇଁ ଗତବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷା ବାତିଲ ହୋଇଯାଇଥିଲା। ଏହାପରେ ବିକଳ୍ପ ମାଧ୍ୟମରେ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ତେବେ ଆଗକୁ ଯେପରି ଏଭଳି ଅସୁବିଧା ନଉପୁଜେ ସେଥିପାଇଁ ନୂଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ।
ଶିକ୍ଷା ବର୍ଷ ୨୦୨୧-୨୨ର ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ଶେଷ ହେବ। ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ମାସ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଜାରି ରହିବ। ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ। ଗତବର୍ଷ ଭଳି ପାଠ୍ୟକ୍ରମ କମ୍ ରହିବ। ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୂପରେଖ ରହିବ, ସେନେଇ ବୋର୍ଡ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ।
ସ୍କୁଲରେ ପିଲାଙ୍କ ପାଠପଢ଼ା ନେଇ ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ। ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶନରେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ପ୍ରତିଶତ ମାର୍କ ବହନ କରିବ। ସେହିଭଳି ପ୍ରଥମ ଟର୍ମର ପରୀକ୍ଷାର ଫଳ ଚୂଡ଼ାନ୍ତ ପରୀକ୍ଷା ଫଳରେ ୩୦ ପ୍ରତିଶତ ମାର୍କ ବହନ କରିବ। ତେବେ ଦ୍ୱିତୀୟ ଟର୍ମର ପରୀକ୍ଷା ଫଳ ଚୂଡ଼ାନ୍ତ ପରୀକ୍ଷାଫଳ ପ୍ରକାଶ ସମୟରେ ୫୦ ପ୍ରତିଶତ ରହିବ। ପ୍ରତି ଟର୍ମ ଶେଷରେ ଏକ ପରୀକ୍ଷା କରାଯିବ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ। ଆଉ ଏଥିପାଇଁ ପିଲାଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାକୁ ପଡ଼ିବ । ନଭେମ୍ବର ଶେଷ ସପ୍ତାହରେ ପ୍ରଥମ ଟର୍ମ ପରୀକ୍ଷା ହେବ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ଟର୍ମ ପରୀକ୍ଷା ହେବ।
The post କରୋନା କାଳରେ କେମିତି ହେବ ପାଠପଢ଼ା-ପରୀକ୍ଷା? ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ନୂଆ ପଦ୍ଧତି first appeared on Sambad.from କରୋନା | Sambad https://ift.tt/3lOZNBi
0 Comments