
ଭୁବନେଶ୍ବର : ଗତ ମେ’ ମାସରୁ ରାଜ୍ୟ ସରକାର ଘରକୁ ଘର ବୁଲି କରୋନା ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଲୋକଙ୍କଠାରେ କରୋନା ସମେତ ଅନ୍ୟ ରୋଗର ଲକ୍ଷଣ ସଂପର୍କରେ ଯାଞ୍ଚ କରୁଛନ୍ତି। ଏହି ଅଭିଯାନରେ ଦୁଇ ମାସରେ ୧ ଲକ୍ଷ ୭୩ ହଜାର ୪୨୯ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନାର ଦ୍ବିତୀୟ ଲହରର ତୀବ୍ରତାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରୋନା ଯାଞ୍ଚ ଅଭିଯାନ ସଂପର୍କରେ ଘୋଷଣା କରାଯାଇଥିଲା। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଏଥିପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉଛି। ଏହି ଅଭିଯାନ ଫଳରେ ଗାଁସ୍ତରରେ କରୋନା ଲକ୍ଷଣ ଥିବା ରୋଗୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିବା ସମ୍ଭବ ହୋଇଛି। ୨ ମାସରେ ରାଜ୍ୟର ୯୪,୫୨,୯୬୪ ଘରେ ଅଭିଯାନ ପହଞ୍ଚି ସାରିଛି।
ତେବେ ଉଲ୍ଲେଖନୀୟ ବିଷୟ ହେଉଛି, ଅଭିଯାନରେ ଯେଉଁ ରୋଗୀମାନେ ଗୁରୁତର ରହିଥିଲେ, ସେମାନଙ୍କ ମଧ୍ୟରୁ ୧୬,୬୦୪ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯାହାକି ଅଭିଯାନରେ ଚିହ୍ନଟ ହୋଇଥିବା ରୋଗୀଙ୍କ ୧୦ପ୍ରତିଶତ ବୋଲି ଜଣାପଡ଼ିଛି। କରୋନା ବାଦ୍ ୬୦,୩୮୨ ନୂତନ ଉଚ୍ଚ ରକ୍ତଚାପ ବ୍ୟକ୍ତି ଚିହ୍ନଟ ହେବା ସହ ୯୫,୦୧,୬୦ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ସେହିପରି ୪୩,୦୩୭ ନୂଆ ମଧୁମେହ ରୋଗୀ ଚିହ୍ନଟ ହୋଇଛନ୍ତି। ୫୨,୦୨,୧୪ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୯୭୯ ମ୍ୟାଲେରିଆ ରୋଗୀ, ୯୯,୪୩୩ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ କଫ ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୪୧୫୦ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ୬୦,୩୩୧ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇ ୮୯୫ କୁଷ୍ଠରୋଗୀଙ୍କୁ ଏମ୍ଡିଟି ଔଷଧ ପ୍ରଦାନ କରାଯାଇଛି। ୪୬୨୭ ବ୍ୟକ୍ତିଙ୍କ ଡାଏଲିସିସ୍, ୧୯୫୯ ବ୍ୟକ୍ତିଙ୍କ କେମୋ ଥେରାପି ପାଇଁ ଡାକ୍ତରଖାନାକୁ ପଠାଇବାରେ ଆଶା ଓ ଅଙ୍ଗନବାଡ଼ି ସହାୟତା କରିଛନ୍ତି।
ଏହି ଅଭିଯାନ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଫଳରେ କେବଳ କରୋନା ରୋଗୀ ନୁହେଁ, ଅନ୍ୟାନ୍ୟ ରୋଗୀରେ ପୀଡ଼ିତ ଥିବା ଲୋକମାନଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିପାରିଛି। ପ୍ରତ୍ୟେକ ମାସ ଶେଷରେ ଏହାର ସମୀକ୍ଷା କରାଯାଉଛି। ତେଣୁ ଆବଶ୍ୟକ ପଡ଼ିଲେ, ଏହି ଅଭିଯାନକୁ ବୃଦ୍ଧି କରାଯାଇ ପାରେ। ମାତ୍ର ଏ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
The post ଦୁଇ ମାସରେ ୧ଲକ୍ଷ ୭୩ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3juRmZ1
0 Comments