ବ୍ରହ୍ମପୁର : କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନିହାତି ଆବଶ୍ୟକ। ଯାହାର ରୋଗ ପ୍ରତିରୋଧକ ଶକ୍ତି ଯେତେ ଅଧିକ ତାଙ୍କୁ କୋଭିଡ୍ ସଂକ୍ରମଣର ଆଶଙ୍କା ସେତିକି କମ୍ ରହିଥାଏ। ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି ସେମାନଙ୍କ ଶରୀରରେ ଆପେ ଆପେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଯାହାକି ଦୀର୍ଘସ୍ଥାୟୀ ଏବଂ କରୋନା ସଂକ୍ରମଣରୁ ରକ୍ଷା ଦେଇପାରେ। ଖୁବ୍‌ କ୍ବଚିତ୍‌ ଲୋକଙ୍କ କ୍ଷେତ୍ରରେ ପୁନଃ ସଂକ୍ରମଣ ଦେଖା ଦେଇଥାଏ ବୋଲି ପୁନେସ୍ଥିତ ଡା. ଡି.ୱାଇ ପାଟିଲ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ବିଶେଷଜ୍ଞଙ୍କ ଦ୍ବାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି।

ଗତ ସେପ୍ଟେମ୍ବରରୁ ଚଳିତ ଜୁନ୍ ପର୍ଯ୍ୟନ୍ତ ପୁନେର ପ୍ରାୟ ୧ହଜାର ୮୧ଜଣ ଲୋକଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ। ତନ୍ମଧ୍ୟରୁ ଏହି ୯ମାସ ମଧ୍ୟରେ ମାତ୍ର ୧୩ଜଣ ପୁନଃ କୋଭିଡ୍ ପରୀକ୍ଷା କରିଥିବା ଜଣାପଡ଼ିଥିଲା। ସେହି ୧୩ଜଣଙ୍କ ଶରୀରରେ ଦ୍ବିତୀୟ ଥର କୋଭିଡ୍ ସଂକ୍ରମଣର ମାତ୍ରା ସାମାନ୍ୟ ରହିଥିବା ବେଳେ ସେମାନେ ଧୀରେ ଧୀରେ ଆରୋଗ୍ୟଲାଭ କରିଥିଲେ। ବିଶେଷଜ୍ଞଙ୍କ ମତ ଅନୁସାରେ ଯେଉଁ ଦେଶରେ ଅଧିକ କୋଭିଡ୍ ସଂକ୍ରମଣର ମାତ୍ରା ଦେଖା ଦେଇଛି ଏବଂ ଟିକାକରଣ କମ୍ ରହିଛି, ସେଭଳି ଦେଶ ପାଇଁ ଏଭଳି ଅଧ୍ୟୟନ ବିଶେଷ ଗୁରୁତ୍ବପୂର୍ଣ୍ଣ। ଏଣୁ କୋଭିଡ୍ ସଂକ୍ରମିତ ହୋଇ ନଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାପରେ କୋଭିଡ୍‌ରୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତି ସଠିକ୍ ସମୟରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ଅନୁସାରେ ଜନସଂଖ୍ୟାର ପ୍ରାୟ ୭୦ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ରହିଥିବା ଜଣାପଡ଼ିଛି। ଏଣୁ ବଳକା ରହିଥିବା ସେହି ୩୦ ପ୍ରତିଶତ ଲୋକଙ୍କୁ ତୁରନ୍ତ ଟିକାକରଣ କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ପୁନେରେ ହୋଇଥିବା ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହେଉଛି ଯେ କୋଭିଡ୍‌ରୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ପୁନଃ ସଂକ୍ରମଣ ସମ୍ଭାବନା କମ୍‌। କିନ୍ତୁ ଦିନକୁ ଦିନ କରୋନା ଭାଇରସ୍‌ର ନୂତନ ପ୍ରଜାତି ସୃଷ୍ଟି ହେଉଥିବାରୁ ସଂକ୍ରମଣ ଆଶଙ୍କାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏଥିପାଇଁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି। ଏଣୁ ପ୍ରତ୍ୟେକ ବ୍ୟକ୍ତି କୋଭିଡ୍ ନିୟମ ପାଳନ କରି ଠିକ୍ ସମୟରେ ଟିକା ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

The post ‘କୋଭିଡ୍‌ରୁ ସୁସ୍ଥ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ’ first appeared on Sambad.

from କରୋନା | Sambad https://ift.tt/3yJY9nJ