ନୂଆଦିଲ୍ଲୀ : ଡେଲ୍‌ଟା ପ୍ଲସ୍‌ ପ୍ରଜାତି ତୃତୀୟ ଲହର ସଂକ୍ରମଣ ପାଇଁ ଦାୟୀ ହେବ ଏବଂ ପରିସ୍ଥିତି ଆଗକୁ ଅଧିକ ଜଟିଳ ହେବ ବୋଲି ବିଶେଷଜ୍ଞମାନେ କହି ସାରିଛନ୍ତି। ଦେଶରେ ବିଭିନ୍ନ ରାଜ୍ୟରେ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୧ଟି ଡେଲ୍‌ଟା ପ୍ଲସ୍‌ ମାମଲା ରହିଛି। ତେଣୁ ଅଧିକ ସତର୍କ ରହିବା ସହ ଆବଶ୍ୟକ ଲକ୍‌ଡାଉନ୍‌ କଟକଣା ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ୧୦ ପ୍ରତିଶତରୁ ଅଧିକ ପଜିଟିଭ୍‌ ହାର ରହୁଥିବା ଜିଲ୍ଲାମାନଙ୍କରେ ଲକ୍‌ଡାଉନ୍‌ କଟକଣା ରହିବା ଉଚିତ୍‌ ବୋଲି ସରକାର କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୧୪ଟି ରାଜ୍ୟମାନଙ୍କୁ ଏନେଇ ଚିଠି ଲେଖାଯାଇଛି। ଚିଠି‌ରେ ଏହା କୁହାଯାଇଛି ଯେ ଦେଶରେ କୋଭିଡ୍‌ ମାମଲା କମୁଥିଲେ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ଉପରେ ଫୋକସ୍‌ କରିବା ନିହାତି ଜରୁରୀ। ଜୁନ୍‌ ୨୧-୨୭ ମଧ୍ୟରେ ଯେଉଁ ଜିଲ୍ଲାମାନଙ୍କରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କଡ଼ାକଡ଼ି ଭାବେ ଲକ୍‌ଡାଉନ୍‌ ପାଳନ ହେବା ଉଚିତ୍‌ ବୋଲି ସରକାର କହିଛନ୍ତି।

ରାଜସ୍ଥାନ, ମଣିପୁର, ସିକ୍କିମ, ତ୍ରିପୁରା, ପଶ୍ଚିମବଙ୍ଗ, ପୁଡ଼ୁଚେରୀ, ଓଡ଼ିଶା, ମେଘାଳୟ, ମିଜୋରାମ୍‌, ନାଗାଲାଣ୍ଡ୍‌, କେରଳ, ଅରୁଣାଚଳପ୍ରଦେଶ, ହିମାଚଳପ୍ରଦେଶ ଏବଂ ଆସାମ ସରକାରଙ୍କୁ ଏହି ଚିଠି ଲେଖାଯାଇଛି। ସେହିପରି ୫ ରଣନୀତି ଟେଷ୍ଟ୍ର, ଟ୍ରାକ୍‌ ଟ୍ରିଟ୍‌, କରୋନା ନିୟମାବଳିର ପାଳନ ଏବଂ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ ସରକାର କହିଛନ୍ତି। ତଥ୍ୟ ଅନୁଯାୟୀ ରାଜସ୍ଥାନର ଭରତପୁର, ରାଜସମନ୍ଦ, ବାରନ୍‌, ଚିତ୍ତୋରଗଡ଼, ସିକର, ଢୋଲପୁର, ମଣିପୁରରେ ଇମ୍ଫାଲ୍‌ ପଶ୍ଚିମ ଏବଂ ‌ତେଙ୍ଗ‌ନୋପାଲ୍‌ , ସିକ୍କିମ୍‌ର ପଶ୍ଚିମ ଜିଲ୍ଲା ଏବଂ ଦକ୍ଷିଣ ଜିଲ୍ଲା, ତ୍ରିପୁରାର ଉନାକୋଟି ଏବଂ ଧଲାଇ, ପଶ୍ଚିମବଙ୍ଗର ଜଲପାଇଗୁଡ଼ି, ପୁଡ଼ୁଚେରୀର ମାହେ , ଓଡ଼ିଶାର ଭଦ୍ରକ, ବାଲେଶ୍ବର, କେରଳର ପଲକ୍କଡ଼, ମଲପ୍ପୁରମ୍‌, କୋଲ୍ଲମ, ଥ୍ରିସୁର, ଏବଂ ତିରୁଅନନ୍ତପୁରମ୍‌, ଆସାମର ମରିଗାଓଁ ଏବଂ ନଲ୍‌ବରିରେ ଜୁନ୍‌ ୨୧-୨୭ ମଧ୍ୟରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି।

The post ୧୪ ରାଜ୍ୟକୁ କେନ୍ଦ୍ରର ନୂଆ ନିର୍ଦ୍ଦେଶାବଳି, ୧୦%ରୁ ଅଧିକ ପଜିଟିଭ୍‌ ହାର ଥିବା ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ଲାଗୁ କର first appeared on Sambad.

from କରୋନା | Sambad https://ift.tt/3qE4DSt