
ନୂଆଦିଲ୍ଲୀ: ଆଇସିଏମ୍ଆର୍ର ଚତୁର୍ଥ ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଦେଶର ମୋଟ୍ ଜନସଂଖ୍ୟାରୁ ୬୭.୬ ପ୍ରତିଶତଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ବିକାଶ ହୋଇଛି। ଅର୍ଥାତ୍ ଦୁଇ ତୃତୀୟାଂଶ ଭାରତୀୟଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ରହିଛି। ତେବେ ୪୦ କୋଟି ଲୋକଙ୍କ ପାଇଁ ଏବେ ବି ସଂକ୍ରମଣ ଭୟ ରହିଛି। ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେରେ ଆଇସିଏମ୍ଆର ଶିଶୁଙ୍କୁ ମଧ୍ୟ ସାମିଲ କରିଛି। ସର୍ଭେ ଅନୁଯାୟୀ ୬-୧୭ ବର୍ଷ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ଶିଶୁ କରୋନା ସଂକ୍ରମିତ ହୋଇସାରିଛନ୍ତି ଏବଂ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକାଶ ହୋଇଛି। ଜୁନ୍-ଜୁଲାଇ ମାସରେ ଏହି ଜାତୀୟ ସେରୋସର୍ଭେ କରାଯାଇଛି। ୭୦ଟି ଜିଲ୍ଲାରେ ଏହି ସର୍ଭେ ହୋଇଛି। ଶିଶୁଙ୍କ ବାଦ୍ ପ୍ରତି ଜିଲ୍ଲାରୁ ୧୦୦ ସ୍ବାସ୍ଥ୍ୟକର୍ମୀ ଏହି ସର୍ଭେରେ ସାମିଲ ହୋଇଛନ୍ତି। ସର୍ଭେ ଅନୁଯାୟୀ ବୟସ୍କଙ୍କ ମଧ୍ୟରେ ୧୩ ପ୍ରତିଶତ ୨ଟି ଯାକ ଡୋଜ୍ ନେଇଛନ୍ତି।
ରିପୋର୍ଟ ଅନୁଯାୟୀ ୬ରୁ ୯ ବର୍ଷ ମଧ୍ୟରେ ସେରୋ ପଜିଟିଭ୍ ହାର ୫୭.୨ ପ୍ରତିଶତ ଅଛି। ୧୦-୧୭ ବର୍ଷ ବୟସ ଗର୍ବରେ ସେରୋ ପଜିଟିଭ୍ ହାର ୬୧.୬ ପ୍ରତିଶତ, ୧୮-୪୪ ବର୍ଷ ମଧ୍ୟରେ ସେରୋ ପଜିଟିଭ୍ ହାର ୬୬.୭ ପ୍ରତିଶତ ଏବଂ ୪୫-୬୦ ବର୍ଷ ମଧ୍ୟରେ ସେରୋ ପଜିଟିଭ୍ ହାର ୭୭.୬ ପ୍ରତିଶତ ରହିଛି। ତେବେ ୪୫-୬୦ ବର୍ଷ ମଧ୍ୟରେ ସେରୋ ପଜିଟିଭ୍ ହାର ସର୍ବାଧିକ ଅଛି। ଏହି ସର୍ଭେରେ ଶିଶୁଙ୍କୁ ୨ ଭାଗରେ ବିଭକ୍ତ କରାଯାଇଛି। ୬-୯ ବର୍ଷ ବୟସ ଏବଂ ୧୦-୧୭ ବର୍ଷ ବୟସର ଶିଶୁଙ୍କ କ୍ଷେତ୍ରରେ ପୃଥକ୍ ସର୍ଭେ ହୋଇଛି। ୧୦-୧୭ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ସେରୋ ପଜିଟିଭ୍ ହାର ଅଧିକ ରହିଛି।
ତେବେ ଦେଶରେ ୪୦ କୋଟି ଲୋକଙ୍କ ସଂକ୍ରମଣ ଭୟ ଥିବାରୁ ଯଥେଷ୍ଟ ସତର୍କତା ଅବଲମ୍ବନ ଜରୁରୀ ବୋଲି କୁହାଯାଇଛି।। ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ଅଛି। ଅନ୍ୟପକ୍ଷେ ଏକ ଦଶମାଂଶ ସ୍ବାସ୍ଥ୍ୟକର୍ମୀ ଏବେ ବି ଟିକା ନେଇନାହାନ୍ତି। ଆଇସିଏମ୍ଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, ସେରୋସର୍ଭେ ଫଳ ଏକ ନୂଆ ଆଶା ଦେଖାଇଛି କିନ୍ତୁ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି। କରୋନା ନିୟମାବଳି ପାଳନ କରିବାକୁ ପଡ଼ିବ ଏବଂ ଆବଶ୍ୟକ ସ୍ଥଳେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
The post ଆଇସିଏମ୍ଆର ଚତୁର୍ଥ ସେରୋସର୍ଭେ ରିପୋର୍ଟ: ୫୦%ରୁ ଅଧିକ ଶିଶୁ ସଂକ୍ରମିତ ହୋଇସାରିଛନ୍ତି, ୪୦ କୋଟି ଲୋକଙ୍କ ପାଇଁ ସଂକ୍ରମଣ ବିପଦ first appeared on Sambad.from କରୋନା | Sambad https://ift.tt/3kMvEls
0 Comments