
ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ବାସ୍ତବ ସଂଖ୍ୟାଠାରୁ ୧୦ ଗୁଣା ଅଧିକ। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ପ୍ରାୟ ୪,୧୫,୦୦୦ କରୋନା ମୃତ୍ୟୁ ହୋଇଛି। କିନ୍ତୁ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦେଶରେ କରୋନା ମୃତ୍ୟୁ ସରକାରୀ ତଥ୍ୟଠାରୁ ୧୦ ଗୁଣା ଅଧିକ। ଆମେରିକାର ଗବେଷଣା ସଂସ୍ଥା ‘ସେଣ୍ଟର ଫର୍ ଗ୍ଲୋବାଲ୍ ଡେଭେଲପମେଣ୍ଟ୍’ ରିପୋର୍ଟ ଅନୁଯାୟୀ ସ୍ବାଧୀନତା ପରେ କରୋନା ଭାରତ ପାଇଁ ସବୁଠୁ ବଡ଼ ବିପତ୍ତି ଏବଂ ସବୁଠୁ ବଡ଼ ମାନବୀୟ ବିପର୍ଯ୍ୟୟ। ମହାମାରୀ ଆରମ୍ଭରୁ ଚଳିତ ବର୍ଷ ଜୁନ୍ ପର୍ଯ୍ୟନ୍ତ ପ୍ରାୟ ୩୪ ଲକ୍ଷରୁ ୪୭ ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇଥିବା ଏହି ରିପୋର୍ଟରେ କୁହାଯାଇଛି। ୧୩୦ କୋଟି ଲୋକଙ୍କ ଦେଶ ଭାରତରେ କରୋନା ମୃତ୍ୟୁର ଯେଉଁ ବିଭୀଷିକା ଦେଖିବାକୁ ମିଳିଛି ତାହାକୁ ନେଇ ଅଧିକ ଅଧ୍ୟୟନ ପାଇଁ ମଧ୍ୟ ବିଶେଷଜ୍ଞମାନେ ଗୁରୁତ୍ବାରୋପ କରିଛନ୍ତି। ଆମେରିକାରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୯ ହଜାର କୁହାଯାଇଥିବା ବେଳେ ବ୍ରାଜିଲରେ କରୋନା ମୃତ୍ୟୁ ୫ ଲକ୍ଷ ୪୨ ହଜାର ବୋଲି ଦର୍ଶାଯାଇଛି। ଏହି ପରିସଂଖ୍ୟାନ
ଦୃଷ୍ଟିରୁ ଭାରତ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ବୋଲି ରିପୋର୍ଟରେ କୁହାଯାଇଛି।
ଆମେରିକା ଏବଂ ବ୍ରାଜିଲ୍ ପରେ ଭାରତରେ ତୃତୀୟ ସର୍ବାଧିକ କରୋନା ମୃତ୍ୟୁ ହୋଇଛି। ବିଶେଷଜ୍ଞମାନେ ଭାରତର କମ୍ ମୃତ୍ୟୁସଂଖ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ନିକଟରେ ଭାରତରେ କିଛି ରାଜ୍ୟରେ ମଧ୍ୟ ହଜାର ହଜାର ପୁରୁଣା ମୃତ୍ୟୁ ନୂଆ ତଥ୍ୟରେ ଯୋଡ଼ାଯାଉଛି। ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଜଣେ ବିଶେଷଜ୍ଞ କହିଛନ୍ତି ଯେ ପରିସଂଖ୍ୟାନକୁ ଆଧାର କରି ମୃତ୍ୟୁସଂଖ୍ୟା ଆକଳନ କରିବା ଏକ ଜଟିଳ ବ୍ୟାପାର। ଫ୍ରାନ୍ସର ବିକାଶ ଗବେଷଣା ଅନୁଷ୍ଠାନର ଜନସଂଖ୍ୟା ବିଶେଷଜ୍ଞ କ୍ରିଷ୍ଟୋପ୍ ଗିଲ୍ମୋଟ୍ ଆକଳନ କରିଛନ୍ତି ଯେ ଭାରତରେ ମେ’ ଶେଷ ସୁଦ୍ଧା ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରତି ୧୦ ଲକ୍ଷରେ ଭାରତର କରୋନା ମୃତ୍ୟୁ ବିଶ୍ବ ହାରାହାରି ମୃତ୍ୟୁର ଅଧା ହେବ। ଭାରତରେ ଅଧିକାଂଶ ପରିବାର କରୋନା ଯୋଗୁଁ ପ୍ରଭାବିତ। ଭାରତରେ ପ୍ରତି ୭ ଜଣରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ଗିଲ୍ମୋଟ୍ଙ୍କ ଟିମ୍ ଏକ ନିର୍ଯ୍ୟାସରେ ପହଞ୍ଚିଛି। ଆମେରିକାର ହେଲ୍ଥ ମେଟ୍ରିକ୍ସ ଏବଂ ଇଭାଲ୍ୟୁସନ୍ ଅନୁଷ୍ଠାନର ଅଧ୍ୟୟନ ଅନୁଯାୟୀ ଦେଶରେ ୧୨ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଭାରତର ମୃତ୍ୟୁସଂଖ୍ୟା ସରକାରୀ ତଥ୍ୟଠାରୁ ୭ରୁ ୮ ଗୁଣା ଅଧିକ ବୋଲି ଗତମାସରେ କେତେକ ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ସହ କଡ଼ା ସମାଲୋଚନା କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଥିଲେ ଯେ ଏହା କେବଳ ଏକ କଳ୍ପନା ଏବଂ ଭୁଲ୍ ଖବର। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମେ ମାସରେ କହିଥିଲେ ଯେ ମହମାରୀ ସମୟରେ ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ୩ ଗୁଣ ବଢ଼ିଯାଇଛି। ଏଥିରେ କରୋନା ସମେତ ଅନ୍ୟ କାରଣଜନିତ ମୃତ୍ୟୁ ମଧ୍ୟ ସାମିଲ ବୋଲି ହୁ ମତ ରଖିଥିଲା।
The post ଭାରତରେ କୋଭିଡ୍ ମୃତ୍ୟୁ ୪୭ ଲକ୍ଷ ! first appeared on Sambad.from କରୋନା | Sambad https://ift.tt/3zi7t2l
0 Comments