
ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ ବହୁମାତ୍ରାରେ କମିଛି। ବିଶେଷକରି ଗତ ଜୁନ ୧୭ ତାରିଖରୁ ଦୈନିକ ଆକ୍ରାନ୍ତ ସଂଖ୍ୟା ଶହେ ତଳକୁ ରହିଛି। ଇତିମଧ୍ୟରେ ପ୍ରାୟ ୨୦ ଦିନ ବିତିଲାଣି, ସଂଖ୍ୟା ତିନି ଅଙ୍କ ଛୁଇଁପାରୁନି; ଯାହାକି ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତ କରିଛି। ଜିଲ୍ଲାର ଦୁଇ ପ୍ରମୁଖ ସହର, ରାଉରକେଲା ଓ ସୁନ୍ଦରଗଡ଼ରେ ମଧ୍ୟ ଏହା ଆଶାତୀତ ବୃଦ୍ଧି ପାଇଛି। ତେବେ ସେହି ହାରରେ ଗ୍ରାମାଞ୍ଚଳରେ କିନ୍ତୁ କମୁନି। ଦୈନିକ ମୋଟ୍ ସଂକ୍ରମିତଙ୍କ ସଂଖ୍ୟାକୁ ତର୍ଜମା କଲେ ଜଣାପଡ଼େ ଯେ, ଏହି ଦୁଇ ସହର ଅପେକ୍ଷା ବିଭିନ୍ନ ବ୍ଲକରୁ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ଅଧିକ ରହୁଛି।
ଜିଲ୍ଲାରେ ଗତ ଜୁନ ମାସରେ ମୋଟ୍ ୪୩୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ରାଉରକେଲା ସହରାଞ୍ଚଳର ୭୬୬ ଜଣ(୧୭.୫୯%) ଓ ସୁନ୍ଦରଗଡ଼ ଟାଉନ୍ର ୨୭୮(୬.୩୯%) ଜଣ ଅଛନ୍ତି। ଅର୍ଥାତ୍ ଏହି ଦୁଇ ସହରରୁ ୧୦୪୩ ଜଣ(୨୩.୯୮%) ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ସବୁ ୧୭ଟି ବ୍ଲକ, ପୌରାଞ୍ଚଳରୁ ୩୩୦୬(୭୬.୦୧%) ଜଣ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଟାଉନ୍ର ଆକ୍ରାନ୍ତ ସଂଖ୍ୟା ଶହେ ତଳକୁ ରହୁଛି। କେବଳ ଗତ ଜୁନ ୧ ଓ ୨ ତାରିଖରେ ଏହି ସଂଖ୍ୟା ଶହେ ପାର୍ ହୋଇଥିଲା। ଏହାପରଠାରୁ ସଂଖ୍ୟା ୮୦ ତଳକୁ ରହୁଛି। ଅପରପକ୍ଷରେ ବେଶ୍ କିଛି ଦିନ ହେଲା ଅର୍ଦ୍ଧାଧିକ ବ୍ଲକରେ ସଂକ୍ରମଣ ସଂଖ୍ୟା ଯଦିଓ ଶୂନ ରହୁଛି, ତଥାପି ଅନ୍ୟ ବ୍ଲକରେ ସଂକ୍ରମିତ ସଂଖ୍ୟା ଅଧିକ ରହୁଛି। ଫଳରେ ଏବେ ବି ସହର ଅପେକ୍ଷା ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ।
The post ସହର ତୁଳନାରେ ଗ୍ରାମାଞ୍ଚଳରେ ଅଧିକ କରୋନା ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/3yo4B3E
0 Comments