ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ସୁଦ୍ଧା ଭାରତ ଯେଉଁ ୫୦ କୋଟିରୁ ଅଧିକ ଡୋଜ୍ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଥିଲା, ସେହି ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇପାରିବ ନାହିଁ। କାରଣ ଭାରତର ଏକମାତ୍ର ଅନୁମୋଦିତ ଦେଶୀ ଟିକା ନିର୍ମାତା ଭାରତ ବାୟୋଟେକ୍‌ ଟିକା ଉତ୍ପାଦନ କରିବାରେ ପଛେଇଯାଇଛି ବୋଲି ସୋମବାର ଏକ ସରକାରୀ ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି। ଭାରତ ବିଶ୍ୱର ଅନ୍ୟତମ ସର୍ବବୃହତ୍ ଟିକାକରଣ ପଦକ୍ଷେପ ଗ୍ରହଣ କରିଛି ଏବଂ ଏପର୍ଯ୍ୟନ୍ତ ପ୍ରାୟ ୪୩୦ ନିୟୁତ ଡୋଜ୍‌ ଟିକା ବଣ୍ଟନ କରିସାରିଛି। ଏହି ସଂଖ୍ୟା ଚୀନ୍ ବ୍ୟତୀତ ଅନ୍ୟ ଦେଶ ତୁଳନାରେ ଅଧିକ, କିନ୍ତୁ ଜନସଂଖ୍ୟା ତୁଳନାରେ ଅନେକ ଦେଶ ଅପେକ୍ଷା କମ୍।

ଜୁଲାଇ ଶେଷ ସୁଦ୍ଧା ସରକାର ୫୧୬ ନିୟୁତ ଡୋଜ୍ ଉପଲବ୍ଧ କରାଇବେ ବୋଲି ମେ ମାସରେ କହିଥିଲେ। ସରକାର ଆଗାମୀ ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ପ୍ରାୟ ୯୪୪ ନିୟୁତ ପ୍ରାପ୍ତବୟସ୍କଙ୍କୁ ଟିକାକରଣ କରିବାକୁ ଳକ୍ଷ୍ୟ ରଖିଛନ୍ତି। ସେହି ହିସାବରେ ଜୁଲାଇ ମାସରେ ଯେତିକି ଟିକା ଦିଆଯିବା କଥା ତାହା ଦେ‌ବା ଏବେ ସମ୍ଭବ ହେଉନାହିଁ। ବର୍ତ୍ତମାନ ଦୈନିକ ଯେତିକି ଟିକା ଦିଆଯାଉଛି, ତାକୁ ତିନିଗୁଣ କରାଗଲେ ହିଁ ଉକ୍ତ ଲକ୍ଷ୍ୟ ପୂରଣ ହୋଇପାରନ୍ତା। କିନ୍ତୁ ଭାରତ ବାୟୋଟେକ୍ ବର୍ତ୍ତମାନ କୋଭାକ୍ସିନ୍ ଟିକା ଉତ୍ପାଦନ ଆବଶ୍ୟକତା ଅନୁଯାୟୀ ବଢ଼ାଇବାରେ ବିଫଳ ହୋଇଛି।

ଭାରତ ବାୟୋଟେକ୍ ଚଳିତ ମାସରେ କେବଳ ୨୫ ନିୟୁତ ଡୋଜ୍‌ ଏବଂ ଅଗଷ୍ଟରେ ୩୫ ନିୟୁତ ଡୋଜ୍ ଟିକା ଯୋଗାଇବ କାରଣ ଦକ୍ଷିଣ ବେଙ୍ଗାଲୁରୁର ଏକ ନୂତନ ଉତ୍ପାଦନ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ସମୟ ଲାଗୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଗତ ସପ୍ତାହରେ ସଂସଦରେ କହିଛନ୍ତି। ଭାରତ ବାୟୋଟେକ୍‌ ଏହାର ଉତ୍ପାଦନ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି। ତେବେ ଭାରତରେ ଆଜି ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ସମସ୍ତ ଟିକା ଡୋଜ୍‌ର ପ୍ରାୟ ୮୮% ହେଉଛି କୋଭିଶିଲ୍ଡ ଟିକା ଏବଂ କମ୍ପାନି ଏହାର ଏହି ଟିକା ଯୋଗାଣକୁ ଅଗଷ୍ଟରେ ପ୍ରାୟ ୧୨୦ ନିୟୁତ ଡୋଜ୍‌କୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

The post ଭାରତ ଜୁଲାଇରେ ଟିକାକରଣ ଲକ୍ଷ୍ୟ ପୂରଣ କରିପାରିବ ନାହିଁ first appeared on Sambad.

from କରୋନା | Sambad https://ift.tt/3l0YezQ