ନୂଆଦିଲ୍ଲୀ : କରୋନାଭୂତାଣୁର ଡେଲ୍‌ଟା‌ ପ୍ରଜାତି ଏବେ ବିଶ୍ବର ପ୍ରାୟ ୧୦୦ ରାଷ୍ଟ୍ରରେ ପହଞ୍ଚିସାରିଛି। ଭାରତ, ବ୍ରିଟେନ୍‌, ଆମେରିକା, ରୁଷ୍‌ ସମେତ ଅନେକ ରାଷ୍ଟ୍ରରେ ଡେଲ୍‌ଟା ପ୍ରଜାତି ପାଇଁ ସଂକ୍ରମଣ କ୍ଷୀପ୍ର ଗତିରେ ମାଡ଼ୁଛି। ଆଗକୁ ସମଗ୍ର ବିଶ୍ବରେ ଏହି ଡେଲ୍‌ଟା ହିଁ କ‌ରୋନାର ପ୍ରମୁଖ ପ୍ରଜାତି ହେବ ‌ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। ଡେଲ୍‌ଟା ଠାବ ହୋଇଥିବା ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ହେବା ସହ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଡେଲ୍‌ଟା ଅନ୍ୟ ପ୍ରଜାତି ତୁଳନାରେ ଅଧିକ ସଂକ୍ରାମକ। ଏହା ଅନ୍ୟ ପ୍ରଜାତିକୁ ପଛରେ ପକାଇ ଆଗାମୀ ମାସରେ ଏକ ପ୍ରମୁଖ ପ୍ରଜାତି ହେବ ବୋଲି ‘ହୁ’ ପକ୍ଷରୁ ‌ଚେତାବନୀ ଦିଆଯାଇଛି। ତେବେ ବର୍ତ୍ତମାନ କରୋନା ନିୟନ୍ତ୍ରଣ ପାଇଁ ଯେଉଁ ସବୁ ପଦକ୍ଷେପ ଗ୍ରହଣ ହୋଇଛି ତାହା ଆଗକୁ ଡେଲ୍‌ଟା ସମେତ ଅନ୍ୟ ଉଦ୍‌ବେଗ ସୃଷ୍ଟିକାରୀ ଭୂତାଣୁ ପାଇଁ ଲାଗୁ ହେବ ବୋଲି ମଧ୍ୟ ‘ହୁ’ କହିଛି। ଟିକା ନେଇନଥିବା ଜନସଂଖ୍ୟାଙ୍କ ମଧ୍ୟରେ ଡେଲ୍‌ଟା ପ୍ରଜାତି ମାଡ଼ି ଚାଲିଛି। ମିଳିଥିବା ସଦ୍ୟ ତଥ୍ୟ ଅନୁଯାୟୀ ଆଲ୍‌ଫା ପ୍ରଜାତି ୧୭୨ ରାଷ୍ଟ୍ରରେ ଚିହ୍ନଟ ହୋଇଥିବାବେଳେ ବିଟା ୧୨୦ ରାଷ୍ଟ୍ର, ଗାମ୍ମା ୭୧ ରାଷ୍ଟ୍ର ଏବଂ ଡେଲ୍‌ଟା ୧୦୦ ରାଷ୍ଟ୍ର‌‌ରେ ଚିହ୍ନଟ ହୋଇଛି। ଡେଲ୍‌ଟା ପ୍ରଜାତି ଅନେକ କ୍ଷେତ୍ରରେ ରୋଗ ପ୍ରତିରୋଧକତାକୁ ଚକ୍‌ମା ଦେଉଥିବାରୁ ଚିନ୍ତା ବଢ଼ିଛି।

The post ୧୦୦ ରାଷ୍ଟ୍ରରେ ଡେଲ୍‌ଟା: ଆଗକୁ ବିଶ୍ବରେ କରୋନାର ପ୍ରମୁଖ ପ୍ରଜାତି ହେବ: ‘ହୁ’ first appeared on Sambad.

from କରୋନା | Sambad https://ift.tt/2SGVJqB