ଦୈନିକ ସଂକ୍ରମଣ ପୁଣି ୩ ହଜାର ଉପରେ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ସରକାର ଜିଲ୍ଲାଗୁଡ଼ିକୁ ଦୁଇ ପ୍ରକାର କାଟାଗୋରିରେ ବିଭକ୍ତ କରିଛନ୍ତି। କମ୍ ସଂକ୍ରମଣ ଥିବା ଜିଲ୍ଲା କାଟାଗୋରି ‘ଏ’ ଏବଂ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା କାଟାଗୋରି ‘ବି’ ରହିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଯେତିକି ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତାହାର ୭୨ ପ୍ରତିଶତ (୨୨୨୫ ଆକ୍ରାନ୍ତ) କେବଳ କାଟାଗୋରି ‘ବି’ ଜିଲ୍ଲାରୁ ବାହାରିଛନ୍ତି। ରାଜ୍ୟ ସରକାର ‘ବି’ ଜିଲ୍ଲାରେ ଯେଉଁ ଆଶଙ୍କାକୁ ନଜରରେ ରଖି କଟକଣାକୁ ବୃଦ୍ଧି କରିଛନ୍ତି, ତାହା ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରତିଫଳିତ ‌ହୋଇଛି। କାଟାଗୋରି ‘ବି’ ଜିଲ୍ଲାରେ ଥିବା ଖୋର୍ଧାରୁ ସର୍ବାଧିକ ୫୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୪୬୨, ବାଲେଶ୍ବର ୨୪୬, ଯାଜପୁର ୨୦୫, ପୁରୀ ୧୮୯, ମୟୂରଭଞ୍ଜ ୧୫୪, ଭଦ୍ରକ ୧୪୫, ନୟାଗଡ଼ ୧୧୦, କେନ୍ଦ୍ରାପଡ଼ା ୭୦ ଓ ଜଗତସିଂହପୁରରେ ୬୦ଜଣଙ୍କୁ ମିଶାଇ ସମୁଦାୟ ୨୨୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟର ବଳକା ୨୦ ଜିଲ୍ଲାରୁ ମାତ୍ର ୮୬୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍ ୩, ଝାରସୁଗୁଡ଼ା ୫, ନୂଆପଡ଼ା ୬, ଗଜପତି ୧୬, କଳାହାଣ୍ଡିରେ ୧୭ ଓ ଢେଙ୍କାନାଳରେ ସର୍ବାଧିକ ୯୫ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୧୨ହଜାର ୮୮୭କୁ ବୃଦ୍ଧି ପାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୭୪ହଜାର ନମୁନା ପରୀକ୍ଷା ହୋଇଥିବା ବେ‌ଳେ ସଂକ୍ରମଣ ହାର ୪.୧୭ ପ୍ରତିଶତ ରହିଛି। କାଟାଗୋରି ‘ବି’ ଜିଲ୍ଲାରେ ଥିବା ଖୋର୍ଧାରେ ୫.୪, ପୁରୀ ୬, ନୟାଗଡ଼ ୭.୧, କଟକ ୭.୩, ଯାଜପୁର ୬.୨, ବା‌ଲେଶ୍ବର ୭.୨, ଭଦ୍ରକ ୫.୯, କେନ୍ଦ୍ରାପଡ଼ା ୫.୨ ଓ ମୟୂରଭଞ୍ଜରେ ୫.୯ ପ୍ରତିଶତ ରହିଛି, ଯାହାକି ରାଜ୍ୟର ସାମଗ୍ରିକ ସଂକ୍ରମଣ ହାରଠାରୁ ଅଧିକ। ଗତ ୫୫ ଦିନରୁ ଅଧିକ ସମୟ ହେବ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିଲେ ‌ହେଁ ଏସବୁ ଜିଲ୍ଲାରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ କାଟାଗୋରି ‘ବି’ ଜିଲ୍ଲାରେ ଯିବା ଆସିବାରେ ନିୟନ୍ତ୍ରଣ ରହୁନାହିଁ। ସେଥିପାଇଁ ସେସବୁ ଜିଲ୍ଲାରେ ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇଛି। ଲୋକମାନେ ଲକ୍‌ଡାଉନ୍‌କୁ ମାନିଲେ ସଂକ୍ରମଣ ଆହୁରି କମିବ। ସର୍ଭେଲାନ୍‌ସ ଓ କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଜୁଲାଇ ମଧ୍ୟ ଭାଗ ବେଳକୁ ରାଜ୍ୟରେ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ଆଉ ୪୫ ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯, ନୟାଗଡ଼, ପୁରୀରୁ ୫ଜଣ ଲେଖାଏଁ, କେନ୍ଦୁଝର, ଗଞ୍ଜାମରେ ୪ଜଣ ଲେଖାଏଁ, ବରଗଡ଼, ସୁନ୍ଦରଗଡ଼ରୁ ୩ଲେଖାଏଁ, ଅନୁଗୁଳ, କଟକ, ସମ୍ବଲପୁରରେ ୨ ଲେଖାଏଁ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ନବରଙ୍ଗପୁର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୫ଶହ କୋଭିଡ୍‌ ରୋଗୀ ଭେଣ୍ଟିଲେଟର୍‌ ଓ ୨ ହଜାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତେଣୁ ଆଗକୁ ମଧ୍ୟ ରାଜ୍ୟରେ କରୋନା ମୃତ୍ୟୁ ଲାଗି ରହିପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ଆଜି ୩୪୫୭ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭,୭୭୪କୁ ଖସି ଆସିଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୮୦ହଜାର ୯୯୭କୁ ବୃଦ୍ଧି ପାଇଛି।

The post ଦୈନିକ ସଂକ୍ରମଣ ପୁଣି ୩ ହଜାର ଉପରେ first appeared on Sambad.

from କରୋନା | Sambad https://ift.tt/3jw3bzX

Post a Comment

0 Comments