ନୂଆଦିଲ୍ଲୀ : ସଂକ୍ରମଣ ସମ୍ପୂର୍ଣ୍ଣ କମିନାହିଁ। ଏବେ ବି ଦେଶର ୬୬ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ପଜିଟିଭ୍‌ ହାର ରହିଛି। କିନ୍ତୁ ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର କିଛି ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକମାନଙ୍କର ଯେମିତି ଭିଡ଼ ଜମିଛି ତାହା ଦେଖିଲେ ଲାଗୁଛି ଯେ, କରୋନା ଆଦୌ ଆସିନାହିଁ। ନୈନିତାଲ୍‌, ମସୋରୀ ଏବଂ ମନାଲୀ ପରି ପର୍ଯ୍ୟଟନ ସ୍ଥଳମାନଙ୍କରେ ଲୋକେ କରୋନା ନିୟମାବଳିର ଖୋଲା ଉଲ୍ଲଂଘନ କରୁଛନ୍ତି। ତେଣୁ କେନ୍ଦ୍ର ସରକାର ଏନେଇ ସତର୍କ କରାଇଛନ୍ତି। ସରକାର କହିଛନ୍ତି, ପର୍ଯ୍ୟଟନ ସ୍ଥଳର ଦୃଶ୍ୟ ଅତ୍ୟନ୍ତ ଚିନ୍ତାଜନକ। ଭାଇରସ୍‌ ଏଯାଏଁ ଯାଇନାହିଁ। କିନ୍ତୁ ଲୋକମାନେ କରୋନା ନିୟମାବଳିର ଯେଭଳି ଉଲ୍ଲଂଘନ କରୁଛନ୍ତି ତାହା ଭାଇରସ୍‌କୁ ‘ଖୋଲା ନିମନ୍ତ୍ରଣ’। ଏହା କରୋନାର ତୃତୀୟ ଲହରକୁ ଡାକି ଆଣିବ।

ଦେଶରେ କରୋନା ସ୍ଥିତି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିବାବେଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କିଛି ଭିଡିଓ ପ୍ରସାରଣ କରିଥିଲେ। ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର କିଛି ପର୍ଯ୍ୟଟନ ସ୍ଥଳରେ ଲୋକମାନେ ଯେଭଳି କରୋନା ନିୟମାବଳିକୁ ଭୁଲିଯାଇଛନ୍ତି ତାହା ଯୁଗ୍ମ ସଚିବ ଭିଡିଓ ମାଧ୍ୟମରେ ‌ଦେଖାଇଛନ୍ତି। ସେ କହିଛନ୍ତି, ଏହା କେବଳ ଭାଇରସ୍‌କୁ ଖୋଲା ନିମନ୍ତ୍ରଣ। ତେବେ ଏନେଇ ଚେତାଇ ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌। ସେ କହିଛନ୍ତି, ଆମେ ଆମ ସୁରକ୍ଷା କଥା ଭୁଲିଯିବା ଠିକ୍‌ ନୁହେଁ। କରୋନା ନିୟମାବଳି ପାଳନ କରିବାକୁ ହେବ। ପର୍ଯ୍ୟଟନ ସ୍ଥଳମାନଙ୍କରୁ କିନ୍ତୁ ନୂଆ ବିପଦ ଦେଖିବାକୁ ମିଳୁଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି। ଲବ ଅଗ୍ରୱାଲ୍‌ କହିଛନ୍ତି, ଦେଶ ଏବେ ବି କରୋନାର ଦ୍ବିତୀୟ ଲହର ସହ ଲଢ଼ୁଛି, ତେଣୁ ଆମମାନଙ୍କୁ କରୋନା ନିୟମାବଳି ପାଳନ କରିବାକୁ ହେବ।

The post ପର୍ଯ୍ୟଟନ ସ୍ଥଳର ଦୃଶ୍ୟ ଅତ୍ୟନ୍ତ ଚିନ୍ତାଜନକ; ଭାଇରସ୍‌କୁ ‘ଖୋଲା ନିମନ୍ତ୍ରଣ’: ସତର୍କ କରାଇଲା କେନ୍ଦ୍ର first appeared on Sambad.

from କରୋନା | Sambad https://ift.tt/2TMFdGj