ନୂଆଦିଲ୍ଲୀ : କରୋନା ଟିକାର ୨ଟି ଡୋଜ୍‌ କରୋନା ମୃତ୍ୟୁକୁ ୯୫ ପ୍ରତିଶତ କମାଇ ଦେଉଛି। ଆଇସିଏମ୍‌ଆର ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ଙ୍କ ଦ୍ବାରା ଏହି ଅଧ୍ୟୟନ ଉପସ୍ଥାପନ କରାଯାଇଛି। ତାମିଲନାଡ଼ୁରେ ପ୍ରାୟ ୧,୧୭,୫୨୪ ଜଣ ପୁଲିସ କର୍ମୀଙ୍କ ମାମଲାକୁ ଏହି ଅଧ୍ୟୟନ ପରିସରଭୁକ୍ତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୧୭,୦୫୯ ଜଣ ଟିକା ନେଇନଥିଲେ ଏବଂ ୩୨,୭୯୨ ଜଣ ଗୋଟିଏ ଡୋଜ୍‌, ୬୭,୬୭୩ ଜଣ ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଟିକା ନେଇନଥିବା ପୁଲିସଙ୍କ ମଧ୍ୟରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷେ ଗୋଟିଏ ଡୋଜ୍‌ ଟିକା ନେଇଥିବା ପୁଲିସଙ୍କ ମଧ୍ୟରେ ୭ ଜଣ ଏବଂ ୨ଟି ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଟିକାର ଫଳପ୍ରଦତା ୮୨ ପ୍ରତିଶତ ଥିବାବେଳେ ଦୁଇଟି ଯାକ ଡୋକ୍‌ ନେଇଥିବା‌ ବ୍ୟକ୍ତିଙ୍କ କ୍ଷେତ୍ରରେ ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିକା ନେଇନଥିବରା ପ୍ରତି ୧ହଜାର ମାମଲାରେ ମୃତ୍ୟୁ ୧.୧୭ ଥିବାବେଳେ ଆଂଶିକ ଟିକା‌ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ର‌ରେ ଏହା ୦.୨୧ ଏବଂ ସମ୍ପୂର୍ଣ୍ଣ ଟିକା ନେଇଥିବା ୧୦୦୦ ବ୍ୟକ୍ତିରେ ମୃତ୍ୟୁ ମାତ୍ର ୦.୦୬ ପ୍ରତିଶତ ରହିଛି। ପଲ୍‌ କହିଛନ୍ତି, ଆମ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଫଳପ୍ରଦ। ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରୁଥିବା ମହିଳାମାନେ ମଧ୍ୟ ଟିକା ନେଇପାରିବେ ବୋଲି ସେ କହିଛନ୍ତି।

The post ୨ଟି ଡୋଜ୍‌ ୯୫% କୋଭିଡ୍‌ ମୃତ୍ୟୁ କମାଉଛି: ଆଇସିଏମ୍‌ଆର୍‌ first appeared on Sambad.

from କରୋନା | Sambad https://ift.tt/2UjJUrg