ନୂଆଦିଲ୍ଲୀ : ଦେଶ କରୋନା ସଂକ୍ରମଣ ବିରୋଧରେ ଗୋଷ୍ଠୀ ରୋଗପ୍ରତିରୋଧକତା ହାସଲ କରିନାହିଁ। ଏବେ ବି ସଂକ୍ରମଣର ଦ୍ବିତୀୟ ଲହର ଶେଷ ହୋଇନଥିବା ବେଳେ କୌଣସି ନୂ୍ଆ ପ୍ରଜାତି ଯୋଗୁଁ କ୍ଷୀପ୍ର ସଂକ୍ରମଣ ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବନାହିଁ। ଏଭଳି ସ୍ଥିତିରେ ଆଗାମୀ ୧୨୫ ଦିନ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇ ଦେଇଛି। ମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପଲ୍‌ କହିଛନ୍ତି, ଆମକୁ ଏବେ ସଂକ୍ରମଣ ବ୍ୟାପିବାକୁ ରୋକିବାକୁ ପଡ଼ିବ। କରୋନା ନିୟମାବଳିର ସଠିକ୍‌ ପାଳନ ଦ୍ବାରା ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ପଲ୍‌ କହିଛନ୍ତି, ଦେଶ ଗୋଷ୍ଠୀ ରୋଗପ୍ରତିରୋଧକତା ହାସଲ କରି ନଥିବାରୁ ଆଗକୁ ସଂକ୍ରମଣ ପୁଣି ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି। ଆବଶ୍ୟକ ସତର୍କତା ଅବଲମ୍ବନ ଏବଂ କୋଭିଡ୍‌ ନିୟମାବଳି ପାଳନ କଲେ ଆମେ ସୁରକ୍ଷିତ ରହିପାରିବା ବୋଲି ସେ କହିଛନ୍ତି। ପଲ୍‌ କହିଛନ୍ତି, ଆମ ଜସଂଖ୍ୟାର ଏକ ବଡ଼ ଅଂଶ ଏବେ ବି ବିପଦରେ ଅଛନ୍ତି। ଆମେ ଟିକାକରଣରେ ଆଗେଇଛେ। ପ୍ରାୟ ୫୦ ପ୍ରତିଶତ ସମ୍ବେଦନଶୀଳ ତଥା ଅସୁସ୍ଥ ଲୋକ ଟିକା ନେଇସାରିଛନ୍ତି। ତେଣୁ ଏବେ ବି ବିପଦ ଟଳିନାହିଁ ବୋଲି ସେ କହିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ତୃତୀୟ ଲହର ନେଇ ସତର୍କ କରାଇ କହିଛି ଯେ ବିଶ୍ବବ୍ୟାପୀ ସଂକ୍ରମଣର ନୂଆ ଲହର ଆରମ୍ଭ ହୋଇଯାଇଛି ଏବଂ ପ୍ରତ୍ୟେକ ରାଷ୍ଟ୍ର କୋଭିଡ୍‌ କଟକଣାକୁ ଗୁରୁତ୍ବ ଦେବାକୁ ପଡ଼ିବ। ସ୍ପେନ୍‌ରେ ସାପ୍ତାହିକ ସଂକ୍ରମଣ ମାମଲାରେ ୬୪ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ନେଦରଲାଣ୍ଡ୍‌ରେ କୋଭିଡ୍‌ ସଂକ୍ରମଣ ମାମଲାରେ ୩୦୦ ପ୍ରତିଶତ ବୃଦ୍ଧି ହୋଇଛି। ଅନେକ ଦିନ ଧରି ଥାଇଲାଣ୍ଡ୍‌ରେ ସ୍ଥିତି ଠିକ୍‌ ଥିଲା କିନ୍ତୁ ଥାଇଲାଣ୍ଡ୍‌ରେ ମଧ୍ୟ ଏବେ ସଂକ୍ରମଣ ବଢ଼ିଲାଣି। ଆଫ୍ରିକାରେ କୋଭିଡ୍‌ ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ମିଆଁମାର, ମାଲେସିଆ, ଇଣ୍ଡୋନେସିଆ ଏବଂ ବାଂଲାଦେଶରେ ମଧ୍ୟ ସଂକ୍ରମଣ ବଢ଼ୁଛି।

The post ସତର୍କ କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ: ଆଗାମୀ ୧୨୫ ଦିନ ଗୁରୁତ୍ବପୂର୍ଣ୍ଣ first appeared on Sambad.

from କରୋନା | Sambad https://ift.tt/3Bae2pv