ଜୟପୁର: କୋଭିଡ୍ ହସ୍ପିଟାଲରେ ୪୬ଦିନ ଚିକିତ୍ସାଧୀନ ମୃତ୍ୟୁ ସହ ଲଢ଼େଇ କରି ଏହାକୁ ହରାଇ ଫେରିଛନ୍ତି ପାର୍ବତୀ ସାମନ୍ତରାୟ। ବୟସ ତାଙ୍କର ୫୭ବର୍ଷ। ଅକ୍ସିଜେନସ୍ତର ବି ୫୭ ରହିଥିବା ବେଳେ ଗତ ଜୁନ ୮ତାରିଖ ଦିନ ଗୁରୁତର ଅବସ୍ଥାରେ ପାର୍ବତୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପାର୍ବତୀଙ୍କର ସେତେବେଳେ ଓଜନ ୧୩୫କିଲୋ ରହିଥିଲା। ୮ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ସେ ଆଇସିୟୁରେ ରହିଥିଲେ। ୩ଦିନ ଧରି ସେ ଭେଣ୍ଟିଲେଟରରେ ବି ରହିଥିଲେ। ସେ ବଂଚିବେ କି ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର ମାନେ ବି ସଂଦିହାନ ହୋଇପଡ଼ିଥିଲେ।

ତେବେ ଦୃଢ଼ ମନୋବଳ ଓ ବଂଚିବାର ଇଛାଶକ୍ତି ଓ ଲଢ଼େଇ କରିବାର ମନୋବୃତ୍ତି ଯୋଗୁଁ ପାର୍ବତୀ ହାର ନ ମାନି ବଂଚିବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି କହିଛନ୍ତି କୋଭିଡ୍ ହସ୍ପିଟାଲ ଏଏମଓ ଡ.ଆଶିଷ ପାଣିଗ୍ରାହୀ। ଚିକିତ୍ସାଧୀନ ରହିବା ରୋଗୀଙ୍କ ମଧ୍ୟରେ ପାର୍ବତୀ ସବୁ ଠାରୁ ଅଧିକା ଦିନ ରହିଥିଲେ। ଡାକ୍ତରଖାନାର ଡାକ୍ତରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ସହ ମିଳାମିଶା କରିବା ସହ ପରିବାରର ସଦସ୍ୟ ହୋଇଯାଇଥିଲେ। ତେବେ ପାର୍ବତୀ ସୁସ୍ଥ ହୋଇ ୧୨କିଲୋ କମିବା ସହ ୧୨୩କିଲୋରେ ଜୀବନ ସହ ଘରକୁ ଫେରିବା ନିଶ୍ଚିତ ରୁପେ ଜୟପୁର କୋଭିଡ୍ ହସ୍ପିଟାଲ ପାଇଁ ଗର୍ବର ବିଷୟ।

ଦୃଢ଼ ଇଛାଶକ୍ତି, ଅଧ୍ୟାତ୍ମିକ ଚିନ୍ତା, ଲଢ଼େଇ ମନୋବୃତ୍ତି ରହିଲେ ଆମେ ସଫଳ ହୋଇପାରିବା ବୋଲି କହିଛନ୍ତି ପାର୍ବତୀ। ସହ ରୋଗୀ ମାନେ ତାଙ୍କ ଆଖି ଆଗରେ ଅଜଣା ଭୁତାଣୁ କୋଳକୁ ଚାଳିଯାଇଥିଲେ। ଏହା ଜାଣିବା ପରେ ବି ସେ ବଂଚିବା ପାଇଁ ସଂଘର୍ଷ କରି ବଂଚିଛନ୍ତି। ସେ ଦ୍ବିତୀୟ ଜନ୍ମ ପାଇଛି ବୋଲି ପାର୍ବତୀ କହିବା ସହ ଏହା କୋଭିଡ୍ ହସ୍ପିଟାଲର ଡାକ୍ତରଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କର ଶ୍ରେୟ ରହିଛି ବୋଲି କହିଛନ୍ତି ପାର୍ବତୀ। ନିଶ୍ଚିତ ରୁପେ ପାର୍ବତୀ ଅନ୍ୟ ସଂକ୍ରମିତଙ୍କ ପାଇଁ ମାର୍ଗଦର୍ଶକ ଏଥିରେ ଦ୍ବିମତ ନାହିଁ।

The post ୪୬ଦିନ ଚିକିତ୍ସାଧୀନ ରହି କରୋନାକୁ ହରାଇଲେ ପାର୍ବତୀ first appeared on Sambad.

from କରୋନା | Sambad https://ift.tt/3iF5y1p