ଭୁବନେଶ୍ବର : ରାଜଧାନୀରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାଖାପାଖି ରହୁଛି। ହେଲେ ମୃତ୍ୟୁ ସଂଖ୍ୟା ହଠାତ୍ ବଢ଼ିଚାଲିଛି। ଦୈନିକ କରୋନା ମୃତ୍ୟୁ ଏକ ଅଙ୍କରେ ରଖୁଥିବା ବିଏମ୍‌ସି ଏବେ ଦିନକୁ ୨୦ରୁ ଅଧିକ ମୃତ୍ୟୁ ଦର୍ଶାଉଛି। ସତ୍ୟନଗର, ଭରତପୁର ଶ୍ମଶାନରେ ଏବେ ବହୁତ କମ୍‌ ଜୁଇ ଜଳୁଥିବାରୁ ବିଏମ୍‌ସିର ମିଛ ଧରାପଡ଼ି ଯାଇଛି। ପୂର୍ବରୁ କରୋନା ମୃତ୍ୟୁକୁ ଲୁଚାଉଥିବା କର୍ତ୍ତୃପକ୍ଷ ଏବେ ସତ ଉଗାଳୁଛନ୍ତି। ଆଜି ରାଜଧାନୀରେ ୨୧ଜଣଙ୍କର କରୋନା ମୃତ୍ୟୁ ଦର୍ଶାଯାଇଥିବାବେଳେ ବୁଧବାର ୨୦ଜଣଙ୍କର ଦର୍ଶାଯାଇଥିଲା। କିଛି ଦିନ ତଳେ ସାରା ରାଜ୍ୟରେ ଯେତିକି ମୃତ୍ୟୁ ହେଉଥିଲା ଏବେ ରାଜଧାନୀରେ ଗୋଟିଏ ଦିନରେ ସେତିକି ମୃତ୍ୟୁ ଦେଖାଯାଉଛି। ଦୁଇ ଦିନରେ ୪୧ଜଣଙ୍କ ମୃତ୍ୟୁ ଦେଖାଯାଉଥିବାରୁ ଆଗକୁ ଦୈନିକ ମୃତ୍ୟୁ ଆହୁରି ବଢ଼ିପାରେ ବୋଲି କୁହାଯାଇଛି। ଆଜିର ମୃତକଙ୍କୁ ମିଶାଇ ରାଜଧାନୀରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୭୩ରେ ପହଞ୍ଚିଛି।

ଆଜି ରାଜଧାନୀରୁ ୨୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୪ଜଣ ସୁସ୍ଥ ହୋଇଛନ୍ତି। ଏଥିରେ ଖଣ୍ଡଗିରିରୁ ୨୩ଜଣ, ଚନ୍ଦ୍ରଶେଖରପୁରରୁ ୧୧, ଡୁମଡୁମାରୁ ୧୧, ନୂଆପଲ୍ଲୀରୁ ୨୨, ପୁରୁଣା ଭୁବନେଶ୍ବରରୁ ୧୪, ପଟିଆରୁ ୧୮, ସହିଦନଗରରୁ ୮ , ୟୁନିଟ-୯ରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜଧାନୀରେ ଦୁଇ ଦିନରେ ୪୧ମୃତ; ଆଗରୁ ଲୁଚାଉଥିଲେ, ଏବେ ଉଗାଳୁଛନ୍ତି first appeared on Sambad.

from କରୋନା | Sambad https://ift.tt/3wJKQSP