
କରୋନା ସଂକ୍ରମଣରୁ ରକ୍ଷା ପାଇଁ ଟିକାକରଣକୁ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ଆବଶ୍ୟକ ସଂଖ୍ୟକ ଟିକା ଉତ୍ପାଦନକୁ ସରକାର ଗୁରୁତ୍ବ ଦେଉଛନ୍ତି। ଆସନ୍ତା ଅଗଷ୍ଟ ମାସରେ ୧୫କୋଟି କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ଆଶା ପୋଷଣ କରିଛନ୍ତି। ନ୍ୟାସ୍ନାଲ୍ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭ୍ୟାକ୍ସିନ୍ ଆଡ୍ମିନିଷ୍ଟ୍ରେସନ୍ ଫର୍ କୋଭିଡ୍-୧୯ (ଏନ୍ଇଜିଭିଏସି)ର ଅଧ୍ୟକ୍ଷ ଭି.କେ ପଲ୍ ଏ ନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ୧୫କୋଟି ଡୋଜ୍ ଟିକା ଆସିବ ବୋଲି ଆଶା ରହିଛି। ମୋଟ ଜନସଂଖ୍ୟାର ଅତି କମ୍ରେ ପ୍ରାୟ ୨୫ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ୭ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡାଭିଆ ଗତ ସପ୍ତାହରେ ସୂଚନା ଦେଇଥିଲେ ଯେ ଜୁଲାଇରେ ୨.୫କୋଟି ଏବଂ ଅଗଷ୍ଟରେ ୩.୫କୋଟି କୋଭାକ୍ସିନ୍ ଡୋଜ୍ ଟିକା ଉପଲବ୍ଧ ହେବ। ଜୁଲାଇ ସୁଦ୍ଧା ଭାରତରେ ୫୧କୋଟି ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ୪୪କୋଟି ଡୋଜ୍ ବ୍ୟବସ୍ଥା କରାଯାଇଛି। ଟିକା ଯୋଗାଣ ସ୍ଥିତିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି ଯେ ଜୁଲାଇ ଶେଷ ସୁଦ୍ଧା ଧାର୍ଯ୍ୟ ଟାର୍ଗେଟ ହାସଲ୍ କରିବା ଏକ ପ୍ରକାର ଅସମ୍ଭବ। ଅପରପକ୍ଷରେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତର ୯୪.୪କୋଟି ବୟସ୍କ ଲୋକଙ୍କୁ ଟିକାକରଣ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦୈନିକ ପ୍ରାୟ ୧କୋଟି ଲୋକଙ୍କୁ ଟିକାକରଣର ଆବଶ୍ୟକା ରହିଛି। କିନ୍ତୁ ଚଳିତ ମାସର ଅଧିକାଂଶ ଦିନ ହାରାହାରି ୦.୫ କୋଟି ଡୋଜ୍ ଦିଆଯାଇଛି। ଲୋକଙ୍କୁ ଦିଆଯାଇଥିବା ଡୋଜ୍ ମଧ୍ୟରେ କୋଭାକ୍ସିନ୍ ପ୍ରାୟ ୧୫ପ୍ରତିଶତ ରହିଛି।
ଗତ ମେ ମାସରେ ଭାରତ ବାୟୋଟେକ୍ ଦେଇଥିବା ତଥ୍ୟ ଅନୁସାରେ ଗୋଟିଏ ବ୍ୟାଚ୍ କୋଭାକ୍ସିନ୍ ପ୍ରସ୍ତୁତ ହୋଇ ଯୋଗାଣ ନିମନ୍ତେ ପ୍ରାୟ ୪ମାସ ସମୟ ଲାଗିଛି। ମାର୍ଚ୍ଚ ମାସରେ ଉତ୍ପାଦନ ପ୍ରସ୍ତୁତି ଆରମ୍ଭ ହୋଇଥିବା କୋଭାକ୍ସିନ୍ ଟିକା ଜୁନ୍ ମାସରେ ଯୋଗାଣ ହେବ ବୋଲି କମ୍ପାନି ତରଫରୁ ପୂର୍ବରୁ କୁହାଯାଇଥିଲା। ଏହାର ଅର୍ଥ ହେଉଛି ଯେ ଏପ୍ରିଲ୍ରେ ଉତ୍ପାଦିତ ଟିକା ଜୁଲାଇ ସୁଦ୍ଧା ଯୋଗାଣ ହେବ।
The post ଅଗଷ୍ଟରେ ଆସିବ ୧୫କୋଟି ଡୋଜ୍ ଟିକା first appeared on Sambad.from କରୋନା | Sambad https://ift.tt/37dCW9S
0 Comments