ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରୁ ୮ ଜଣଙ୍କ ପ୍ରାଣହାନି ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଅନୁଗୁଳ ଓ କଟକ ଜିଲ୍ଲାରୁ ୬ ଜଣ ଲେଖାଏଁ, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୨ ଜଣଙ୍କ ଜୀବନ ନେଇଛି କରୋନା। କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଝାରସୁଗୁଡ଼ା, ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୩୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୭୦, ୮୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯,୪୭,୩୮୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୭,୭୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3BJDsdZ
0 Comments