
ନୂଆଦିଲ୍ଲୀ : ଲାନ୍ସେଟ୍ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁସାରେ ଯେଉଁମାନେ ବାୟୋଏନ୍ଟେକ୍ ଏସ୍ଇର ଏମ୍ଆର୍ଏନ୍ଏ ଟିକା ପୂର୍ଣ୍ଣମାତ୍ରାରେ ନେଇଥିଲେ ସେମାନଙ୍କଠାରେ ଚୀନ୍ର ସିନୋଭାକ୍ ନେଇଥିବା ଲୋକଙ୍କ ତୁଳନାରେ ସୃଷ୍ଟିହୋଇଥିବା ଆଣ୍ଟିବଡ଼ି (ପ୍ରତିପିଣ୍ଡ)ର ସ୍ତର ୧୦ ଗୁଣ ଅଧିକ ଥିଲା। ତେବେ ଏହି ଅଧ୍ୟୟନରେ ସମ୍ବନ୍ଧିତ ଅନ୍ୟ ବିଷୟରେ ଯଥା ଟି ସେଲ୍ସ ବା ପ୍ରତିପିଣ୍ଡ-ନିର୍ଭର କୌଷିକ ବିଷକ୍ରିୟା ଆଦି ବିଷୟରେ ଦୃଷ୍ଟି ଦିଆଯାଇନାହିଁ। ଏହି ଅଧ୍ୟୟନ ପାଇଁ ଗବେଷକ ଦଳ ହଂକଂର ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକର ୧,୪୪୨ ଜଣ କର୍ମଚାରୀମାନଙ୍କୁ ପଞ୍ଜୀକୃତ କରିଥିଲେ।
ଟିକା ନେବା ପୂର୍ବରୁ, ପ୍ରଥମ ଡୋଜ୍ ଟିକା ନେବା ପରେ ଓ ଦ୍ବତୀୟ ଡୋଜ୍ ଟିକା ନେବା ପରେ ତିନୋଟି ପର୍ଯ୍ୟାୟରେ ସେମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୩ ଜଣ ସମ୍ପୂର୍ଣ୍ଣ ଟିକା ନେଇଥିଲେ। ୬୩ ଜଣ ବାୟୋଏନ୍ଟେକ୍ର ଉଭୟ ଡୋଜ୍ ନେଇଥିଲେ ଏବଂ ୩୦ ଜଣ ସିନୋଭାକ୍ ଟିକା ନେଇଥିଲେ। ଅଧ୍ୟୟନରୁ ଦେଖାଗଲା ଯେ, ବାୟୋଏନ୍ଟେକ୍ର ପ୍ରଥମ ଡୋଜ୍ ନେବା ପରେ ୬୩ ଜଣଙ୍କର ଆଣ୍ଟିବଡ଼ି ଉଲ୍ଲେଖନୀୟ ଭାବେ ବିକାଶ ଲାଭ କରିଥିଲା। କିନ୍ତୁ ପ୍ରଥମ ଡୋଜ୍ ସିନୋଭାକ୍ ନେଇଥିବା ୩୦ ଜଣଙ୍କ ଶରୀରରେ ଆଣ୍ଟିବଡ଼ି ସେତେ ବିକାଶ ଲାଭ କରିପାରି ନ ଥିଲା ଏବଂ ଦ୍ବିତୀୟ ଡୋଜ୍ ନେବା ପରେ ମଧ୍ୟମ ମାତ୍ରାରେ ବିକାଶ ଲାଭ କରିଥିଲା। ୨ ଡୋଜ୍ ନେବା ପରେ ବାୟୋଏନ୍ଟେକ୍ ଗ୍ରହୀତାଙ୍କ ଆଣ୍ଟିବଡ଼ିର ହାରାହାରି ସ୍ତର ୨୬୯ ଥିବାବେଳେ ସିନୋଭାକ୍ ଗ୍ରୁପ୍ର ୧୨ ଜଣଙ୍କଠାରେ ତାହା ମାତ୍ର ୨୭ ଥିଲା। ଅର୍ଥାତ୍ ବାୟୋଏନ୍ଟେକ୍ ଟିକା ସିନୋଭାକ୍ ତୁଳନାରେ ୧୦ ଗୁଣ ଫଳପ୍ରଦ ବୋଲି ଏହି ଅନୁଧ୍ୟାନରୁ ଜଣାପଡ଼ିଛି।
The post ବାୟୋଏନ୍ଟେକ୍ ଟିକା ସିନୋଭାକ୍ଠାରୁ ୧୦ଗୁଣା ଫଳପ୍ରଦ: ଲାନ୍ସେଟ୍ first appeared on Sambad.from କରୋନା | Sambad https://ift.tt/3koygWJ
0 Comments