
ଭୁବନେଶ୍ବର : ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି ଓଡ଼ିଶା। ଦୈନିକ ସଂକ୍ରମଣ ଓ ସଂକ୍ରମଣ ହାର ନିମ୍ନଗାମୀ ହେଉଛି। ଗତ ୩ ମାସର ବ୍ୟବଧାନ ପରେ ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳକୁ ଖସି ଆସିଛି। ସଂକ୍ରମଣ ହାର ମଧ୍ୟ ୨.୭୪ପ୍ରତିଶତ ରହିଛି। ଏପ୍ରିଲ ୧୨ତାରିଖରେ ରାଜ୍ୟରେ ଶେଷଥର ଲାଗି ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଥିଲା। ମାତ୍ର ଚିନ୍ତାର ବିଷୟ ହେଲା, ଉପୂକଳ ଓଡ଼ିଶାର ୩ ଜିଲ୍ଲା (କଟକ, ନୟାଗଡ଼ ଓ ମୟୂରଭଂଜ)ରେ ଏବେ ବି ସଂକ୍ରମଣ ହାର ୫ପ୍ରତିଶତରୁ ଅଧିକ ରହିଛି। ତେବେ ଖୁବ୍ଶୀଘ୍ର ଏହି ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ଆହୁରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।
ଗତ ମେ’ ୨୨ତାରିଖରେ ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁବା ପରେ ଦୈନିକ ସଂକ୍ରମଣରେ ହ୍ରାସ ଆରମ୍ଭ ହୋଇଥିଲା। ଦୈନିକ ୪ହଜାର ସଂକ୍ରମଣକୁ ଖସିବା ଲାଗି ମାତ୍ର ୨୦ ଦିନ ସମୟ ଲାଗିଥିଲା। ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାରକୁ ଖସି ଆସିଥିବା ବେଳେ ୨ହଜାର ତଳକୁ ଖସିବା ଲାଗି ୨୮ଦିନ ସମୟ ଲାଗିଛି। ବିଶେଷକରି ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ନେଇଛି। ଫଳରେ ରାଜ୍ୟରେ ସଂକ୍ରମଣ ହ୍ରାସ ବିଳମ୍ବିତ ହେବାରେ ଲାଗିଛି। ରାଜ୍ୟ ସରକାର ଟ୍ରେସିଂ, ଟ୍ରିଟିଂ ଓ ସର୍ଭେଲାନ୍ସ ଜାରି ରଖିଥିବା କହି ଆସୁଛନ୍ତି। ଏହାସତ୍ତ୍ବେ ଉପକୂଳ ଓଡ଼ିଶାରେ ସଂକ୍ରମଣ ହାର ୧ ପ୍ରତିଶତକୁ ଆସିବା ଲାଗି ଆହୁରି କିଛି ଦିନ ସମୟ ଲାଗିପାରେ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ କେବଳ ୮ଟି ଜିଲ୍ଲାରେ ୬୯ ପ୍ରତିଶତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ଖୋର୍ଧାରେ ସଂକ୍ରମଣ ୫ ଶହ ତଳକୁ ଖସି ଆସିଛି। ଜିଲ୍ଲାରେ ଆଜି ୩୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୨୯୭, ବାଲେଶ୍ବର ୧୮୧, ପୁରୀ ୧୪୪, ଯାଜପୁର ୧୪୧, ମୟୂରଭଞ୍ଜ ୧୧୦, ଜଗତସିଂହପୁର ୮୯, ଭଦ୍ରକ ୮୬, ନୟାଗଡ଼ ୭୮, ସୁନ୍ଦରଗଡ଼ ୭୫ ଓ ଷ୍ଟେଟ୍ ପୁଲରୁ ୫୯ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୪୧ହଜାର ୭୪୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ପୂର୍ବର ବଳକା ମୃତ୍ୟୁ ସଂଖ୍ୟା ପାଇଁ ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନାରେ ଆଉ ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଖୋର୍ଧାରେ ସର୍ବାଧିକ ୧୩, ବରଗଡ଼ ୭, ମୟୂରଭଞ୍ଜ ୬, ଗଞ୍ଜାମ, ପୁରୀରେ ୫ ଲେଖାଏଁ, କେନ୍ଦ୍ରାପଡ଼ା, ଢେଙ୍କାନାଳରେ ୪ ଲେଖାଏଁ, ବୌଦ୍ଧ, ଯାଜପୁର, ନୟାଗଡ଼ରେ ୩ ଲେଖାଏଁ, କେନ୍ଦୁଝର, ଜଗତସିଂହପୁର, ବାଲେଶ୍ବରରରେ ୨ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, ଗଜପତି, କନ୍ଧମାଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୪୬୬୨ରେ ପହଞ୍ଚିଛି।
ରାଜ୍ୟରେ ଆଉ ୨୯୩୭ କରୋନା ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୧୫ହଜାର ୪ଶହରେ ପହଞ୍ଚିଛି। ତେବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧,୬୩୦କୁ ଖସି ଆସିଛି। ଏବେ ରାଜ୍ୟରେ ସମୁଦାୟ ସଂକ୍ରମିତ ସଂଖ୍ୟାର ୨.୨୯ ପ୍ରତିଶତ ଚିକିତ୍ସାଧୀନ ରୋଗୀ ରହିଛନ୍ତି। କେବଳ ଖୋର୍ଧା ଓ କଟକ ଜିଲ୍ଲାରେ ଅଢ଼େଇ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ଥିବା ବେଳେ ନୂଆପଡ଼ାରେ ସର୍ବନିମ୍ନ ୩୭ଜଣ ଚିକିତ୍ସାଧୀନ ଆକ୍ରାନ୍ତ ଅଛନ୍ତି।
The post ୨ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୩ ମାସର ବ୍ୟବଧାନ ପରେ ଏପ୍ରିଲ ମାସ ସ୍ଥିତିକୁ ଫେରୁଛି ଓଡ଼ିଶା first appeared on Sambad.from କରୋନା | Sambad https://ift.tt/3AZPEHk
0 Comments