ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ଖସି ୩ ହଜାରରେ ପହଞ୍ଚିଥିଲା। ଆଶା କରାଯାଉଥିଲା, ଖୁବ୍‌ଶୀଘ୍ର ଏହା ୩ ହଜାର ତଳକୁ ଖସିବ ଓ ରାଜ୍ୟରେ କରୋନା କଟକଣା ହଟିବ। ହେଲେ ରାଜ୍ୟରେ କରୋନା ସଂକ୍ରମଣ ଥମିବା ନେଇ କୌଣସି ସଂକେତ ମିଳୁନାହିଁ। ବରଂ ଏହା ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ସ୍ଥିର ହୋଇରହିଛି। ଗତ ୧୫ ଦିନ ହେବ ରାଜ୍ୟରେ ଦୈନିକ ୩ ହଜାରରୁ ଅଧିକ ପଜିଟିଭ୍ ହେଉଛନ୍ତି। ଗତ ମାସ ୧୪ ତାରିଖରୁ ଚଳିତ ମାସ ଯାଏ ଏହି ଧାରା ଜାରି ରହିଛି। ମଝିରେ ମାତ୍ର ୩ ଦିନ ଲାଗି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ସତ୍ତ୍ବେ ରାଜ୍ୟରେ ସଂକ୍ରମଣ ଧାରା ଜାରି ରହିବା ସରକାରଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ଓ ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୨୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ କାଟାଗୋରି-‘ବି’ରେ ଥିବା ଜିଲ୍ଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ୭୪,୨୨୫ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୪.୩୪ ପ୍ରତିଶତ ରହିଛି। ମାତ୍ର ଜଗତସିଂହପୁରରେ ୧୧.୫, କଟକ ୯.୯, ମୟୂରଭଞ୍ଜ ଓ ନୟାଗଡ଼ରେ ୭.୯ ଲେଖାଏଁ, ଯାଜପୁର ୬, ବାଲେଶ୍ବର ୫.୮, କେନ୍ଦ୍ରାପଡ଼ା ୫.୬, ଭଦ୍ରକ ୫, ପୁରୀରେ ୫.୪ ପ୍ରତିଶତ ରହିଛି। ମାତ୍ର ଖୋର୍ଦ୍ଧା ଜିଲ୍ଲାରେ ଏହା ହ୍ରାସ ପାଇ ୪.୫ ପ୍ରତିଶତକୁ ଖସି ଆସିଛି। ହେଲେ କାଟାଗୋରି-‘ଏ’ରେ ଥିବା ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ହାର ୬ ପ୍ରତିଶତ ଦେଖିବାକୁ ମିଳିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ଚଳିତ ମାସ ଅଧା ବେଳକୁ ସଂକ୍ରମଣ କମିଯିବ। କାଟାଗୋରି-‘ବି’ ଜିଲ୍ଲାରେ ସଂକ୍ରମଣ କମିବାକୁ ଟିକେ ସମୟ ଲାଗିପାରେ। ଯେଉଁ ଅଞ୍ଚଳରେ ଲୋକମାନେ କୋଭିଡ୍‌ କଟକଣା ମାନୁନାହାନ୍ତି, ପ୍ରଶାସନ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରୁଛି। ମାତ୍ର ରାଜ୍ୟରେ ଚିହ୍ନଟ ହେଉଥିବା ରୋଗୀମାନଙ୍କ ମଧ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାକୁ ପଛରେ ପକାଇ କଟକରେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଜିଲ୍ଲାରେ ୬୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରେ ୪୨୨, ଜଗତସିଂହପୁର ୨୧୨, ବାଲେଶ୍ବର ୨୦୮, ମୟୂରଭଞ୍ଜ ୧୯୫, ଯାଜପୁର ୧୯୦, ପୁରୀ ୧୮୮, କେନ୍ଦ୍ରାପଡ଼ା ୧୭୯, ଭଦ୍ରକ ୧୪୧, ନୟାଗଡ଼ ୧୧୪, ଅନୁଗୁଳ ୯୧ ଓ ଷ୍ଟେଟ୍‌ ପୁଲରୁ ୬୯ଜଣଙ୍କୁ ଚିହ୍ନଟ କରାଯାଇଛି। ୨୧ ଜିଲ୍ଲାରେ ସଂକ୍ରମଣ ଶହେ ତଳେ ରେକର୍ଡ କରାଯାଇଛି। ରାଜ୍ୟ‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୧୬ହଜାର ୧୦୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୪୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଦ୍ଧାରେ ସର୍ବାଧିକ ୯, ସୁନ୍ଦରଗଡ଼, ପୁରୀ, ନୟାଗଡ଼ରେ ୪ ଲେଖାଏଁ, ସମ୍ବଲପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଗଞ୍ଜାମରେ ୩ ଲେଖାଏଁ, ଅନୁଗୁଳ, ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ‌ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମଦାୟ କରୋନା ମୃତ୍ୟୁ ୪୧୦୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଜି ୩୨୬୫ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୮୪ହଜାର ୨୬୨କୁ ବୃଦ୍ଧି ପାଇଛି। ସେହିପରି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭,୬୮୫କୁ ଖସି ଆସିଛି। ବାଲେଶ୍ବର, କଟକ ଓ ଖୋର୍ଦ୍ଧା ଜିଲ୍ଲା କେବଳ ରେଡ୍‌-ଜୋନ୍‌ରେ ରହିଛି।

The post ୩,୦୦୦ ତଳକୁ ଖସୁନି ସଂକ୍ରମଣ first appeared on Sambad.

from କରୋନା | Sambad https://ift.tt/3jCRzLu