ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଏବେବି ଚିନ୍ତାଜନକ। ଭାରତରେ ପ୍ରତି ଦେଢ଼ ମିନିଟ୍‌ରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରୁ ସ୍ପଷ୍ଟ ହୋଇଛି ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ। ବିଶ୍ବରେ ଏହି ଭାଇରସ୍‌ ରୂପ ବଦଳାଉଥିବାରୁ ଏହା ମଧ୍ୟ ଚିନ୍ତା ବଢ଼ାଇଛି। ଦେଶର ବିଭିନ୍ନ ରାଜ୍ୟ ନିଜ ହିସାବକୁ ନେଇ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ହେଲେ ସର୍ବସାଧାରଣ ସ୍ଥାନମାନଙ୍କରେ ଲୋକଙ୍କ ଅସମ୍ଭବ ଭିଡ଼କୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ପାଇଁ ଚିନ୍ତାର କାରଣ ହୋଇଛି। ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରର କେତେକ ଜିଲ୍ଲାରେ ୪୯୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେରଳରେ ମୃତ୍ୟୁ ସଂଖ୍ୟା ୧୦୯ ଛୁଇଁଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବି ଭାରତରେ ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହାଛଡ଼ା ପାଖାପାଖି ଦୁଇ ମାସ ବିନାଶ ଘଟାଇବ‌ା ପରେ ସଂକ୍ରମଣ ମାମଲା ‌ନିର୍ଦ୍ଦିଷ୍ଟ ସ୍ତରରେ ଅଟକି ରହିବା ମଧ୍ୟ ଚିନ୍ତାର କାରଣ ହୋଇଛି। ଭାରତର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଏବଂ କେରଳରେ ଗଭୀର ଭାବେ ମନିଟରିଂ କରାଯାଉଛି। ସଂକ୍ରମଣ ଏହି ଦୁଇ ରାଜ୍ୟରୁ ଯେଭଳି ବାହାରକୁ ନ ବ୍ୟାପେ ସେଥିପ୍ରତି କଡ଼ା ନଜର ରଖାଯାଇଛି। ଦେଶର ପାଖାପାଖି ଅଧା ସଂକ୍ରମଣ ଏହି ଦୁଇ ରାଜ୍ୟରୁ ଆସୁଛି।

ଆଠ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଆଜି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମି‌ଜୋରାମ ଆଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିବେ। ରାଜ୍ୟରେ କୋଭିଡ୍‌ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀମା‌ନେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବେ। ଏଯାଏଁ କୋଭିଡ୍‌-୧୯ ଦ୍ବିତୀୟ ଲହର ଶେଷ ହୋଇ ନଥିବାରୁ ପ୍ରଧାନମନ୍ତ୍ରୀ ଏ ନେଇ ଲଗାତାର ବୈଠକ କରୁଛନ୍ତି। କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ କରୋନା ସ୍ଥିତି ଉପରେ ନଜର ରଖିବା ଏବଂ ଏହାକୁ ଗମ୍ଭୀରତାର ସହ ନେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ।

The post ଟଳୁନି ବିପଦ: ପ୍ରତି ଦେଢ଼ ମିନିଟରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/2TUuh9D