
ମୁମ୍ବାଇ: ମୁମ୍ବାଇର ଜଣେ ଡାକ୍ତର ୩ ଥର କରୋନା ସଂକ୍ରମିତ ହେଲେଣି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ କରୋନାର ୨ଟି ଯାକ ଡୋଜ୍ ନେବାପରେ ମଧ୍ୟ ୨ ଥର ସଂକ୍ରମିତ ହୋଇଛନ୍ତି। ମୁଲୁନ୍ଦର ଏହି ୨୬ ବର୍ଷୀୟା ଡାକ୍ତରଙ୍କ ନାମ ସୃଷ୍ଟି ହଲାରି। ୨୦୨୦ ଜୁନ୍ ୧୭ରେ ସେ ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ। ମୁଲୁନ୍ଦ ସ୍ଥିତ ବିଏମ୍ସି କୋଭିଡ୍ ସେଣ୍ଟରରେ କାମ କରିବା ସମୟରେ ସେ ସଂକ୍ରମିତ ହୋଇଥିଲେ। କରୋନାରୁ ସୁସ୍ଥ ହୋଇଥିଲେ ସୁଦ୍ଧା ଗତ ମେ’ ୨୯ରେ ସେ ପୁନଃ ସଂକ୍ରମିତ ହେଲେ। କିନ୍ତୁ ସେ ସମୟରେ ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲା। ଜୁଲାଇ ୧୧ରେ ଡାକ୍ତର ସୃଷ୍ଟି ପୁନର୍ବାର ସଂକ୍ରମିତ ହୋଇଛନ୍ତି। ଚଳିତ ଥର ଡାକ୍ତର ସୃଷ୍ଟିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିବା ସେ କହିଛନ୍ତି। ତେବେ ସୃଷ୍ଟି ବାରମ୍ବାର କରୋନା ସଂକ୍ରମିତ ହେବା ଡାକ୍ତରମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି।
ବିଶ୍ବବ୍ୟାପୀ ଅଧିକାଂଶ ଡାକ୍ତର ବାରମ୍ବାର କରୋନା ସଂକ୍ରମିତ ହେଉଥିଲେ ସୁଦ୍ଧା ସୃଷ୍ଟିଙ୍କ ମାମଲାକୁ ଭଲଭାବେ ଅଧ୍ୟୟନ କରାଯାଉଛି। ତାଙ୍କର ନମୁନା ସଂଗ୍ରହ ହୋଇ ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ତେବେ ଟିକା ନେବାପରେ ମଧ୍ୟ ଡାକ୍ତର ସୃଷ୍ଟି କାହିଁକି ବାରମ୍ବାର ସଂକ୍ରମିତ ହେଉଛନ୍ତି ସେଦିଗରେ ଅଧିକ ଅଧ୍ୟୟନ ଜାରି ରହିଛି ବୋଲି ଜଣେ ବିଏମ୍ସି ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ଡାକ୍ତର ସୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମେହୁଲ ଠାକ୍କର କହିଛନ୍ତି, ଆର୍ଟିପିସିଆର ଟେଷ୍ଟ୍ ଭୁଲ୍ ଥାଇପାରେ କିମ୍ବା ମେ’ ମାସର ସଂକ୍ରମଣ ଜୁଲାଇରେ ପୁଣି ଥରେ ସକ୍ରିୟ ହୋଇଥାଇପାରେ। ଡାକ୍ତର ସୃଷ୍ଟି ମାର୍ଚ୍ଚ ୮ରେ ପ୍ରଥମ ଡୋଜ୍ ଟିକା ନେଇଥିଲେ ଏବଂ ଏପ୍ରିଲ ୨୯ରେ ସେ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଡାକ୍ତର ସୃଷ୍ଟିଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଚଳିତ ମାସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ବାପା ମା’ ଏବଂ ଭାଇଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ରହିଛି ଏବଂ ସେମାନେ ୨ଟି ଯାକ ଡୋଜ୍ ନେଇସୁଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି।
The post ୩ ଥର ସଂକ୍ରମିତ ହେଲେଣି ମୁମ୍ବାଇ ଡାକ୍ତର, ୨ ଡୋଜ୍ ଟିକା ନେବାପରେ ବି ୨ ଥର ସଂକ୍ରମିତ first appeared on Sambad.from କରୋନା | Sambad https://ift.tt/371q3Qt
0 Comments