
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟ ଯେଉଁ ତଥ୍ୟ ରଖିଛନ୍ତି ତାହା ଆଦୌ ବିଶ୍ବାସଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ପଶ୍ଚିମବଙ୍ଗ ଏବଂ ପଂଜାବ ସମେତ ଅନ୍ୟ କେତେକ ରାଜ୍ୟ ଉପରେ କୋର୍ଟ ପ୍ରବଳ ବର୍ଷିଛନ୍ତି। ଜମ୍ମୁ କାଶ୍ମୀର, ପଂଜାବ ଏବଂ ପଶ୍ଚିମବଙ୍ଗ ସରକାର ଏଯାବତ୍ କାହିଁକି ୱେବସାଇଟ୍ରେ ଅନାଥ ଶିଶୁଙ୍କ ତଥ୍ୟ ଅପଲୋଡ୍ କରିନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗ ସରକାର ୱେବସାଇଟ୍ରେ ଠିକ୍ ତଥ୍ୟ ଅପଲୋଡ୍ କରିଛନ୍ତି ଏବଂ ଏହାକୁ ଏନ୍ସିପିସିଆରକୁ ପଠାଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ଆଇନଜୀବୀ କୋର୍ଟରେ ଯୁକ୍ତି ଉପସ୍ଥାପନ କରିବା ସମୟରେ ଖଣ୍ଡପୀଠ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ କହିଛନ୍ତି, ରାଜ୍ୟରେ ମୋଟ୍ ୨୭ ଶିଶୁ ଅନାଥ ହୋଇଥିବା ଯାହା ଉଲ୍ଲେଖ କରାଯାଇଛି ତାହା ଗ୍ରହଣଯୋଗ୍ୟ ନୁହେଁ। ଅନ୍ୟ ରାଜ୍ୟର ତଥ୍ୟକୁ ଦେଖିଲେ ଲାଗୁଛି ପଶ୍ଚିମବଙ୍ଗରେ ସତେ ଯେମିତି ଆଦୌ କୋଭିଡ୍ ନାହିଁ। କୋର୍ଟ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରି କହିଛନ୍ତି, ଆମେ ଏହି ତଥ୍ୟରେ ବିଶ୍ବାସ କରିପାରୁନୁ ଏବଂ ସଂଶୋଧିତ ତାଲିକାକୁ ଅପେକ୍ଷା କରିଛୁ।
ଏ କ୍ଷେତ୍ରରେ କ’ଣ କରିବାକୁ ହେବ ତାହା ରାଜ୍ୟମାନେ କିଭଳି ବୁଝିପାରୁନାହାନ୍ତି ତାହା ଆମେ ଜାଣିପାରୁନୁ ବୋଲି କୋର୍ଟ କହିଛନ୍ତି। ଦାୟିତ୍ବରେ ଥିବା ଅଧିକାରୀମାନେ ଏ ଦିଗରେ ସ୍ପଷ୍ଟ ନୀତି ଅବଲମ୍ବନ କରିନାହାନ୍ତି, ତେଣୁ ତୁରନ୍ତ ସଂଶୋଧିତ ତାଲିକା ଦାଖଲ ପାଇଁ ପଦକ୍ଷେପ ନିଆଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ବୋଲି ଜଣେ ଆଇନଜୀବୀ କହିବା ବେଳେ ସୁପ୍ରିମକୋର୍ଟ କହିଥିଲେ, ଏଭଳି ଦାୟିତ୍ବହୀନ ଟିପ୍ପଣୀ ଆମେ ଶୁଣିବାକୁ ଚାହୁନାହୁଁ। ସୁପ୍ରିମକୋର୍ଟ ମଧ୍ୟ ପଂଜାବ ସରକାରଙ୍କ ଉପରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି , ପଂଜାବ ସରକାରଙ୍କ ତଥ୍ୟ ଠିକ୍ ଲାଗୁନାହିଁ। ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଂଜାବ ସରକାରଙ୍କ ଆଇନଜୀବୀ କୋର୍ଟରେ କହିଛନ୍ତି, ରାଜ୍ୟରେ ୭୩ ଶିଶୁ ଅନାଥ ହୋଇଛନ୍ତି। ଅନ୍ୟ ୪୦ ଜଣଙ୍କ ବାପା ମା’ଙ୍କ ଅଣ କୋଭିଡ୍ କାରଣ ପାଇଁ ମୃତ୍ୟୁ ହୋଇଥିବାରୁ ଏହି ତଥ୍ୟ ଅପଲୋଡ୍ କରାଯାଇନି ବୋଲି ପଂଜାବ ଆଇନଜୀବୀ କହିଛନ୍ତି। ତେବେ ତୃଣମୂଳ ସ୍ତରରେ ଏହି ସଂଖ୍ୟା ଯାଞ୍ଚ କରିବାପାଇଁ କୋର୍ଟ କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ, କରୋନା କାଳରେ ଅନାଥ ସବୁ ଶିଶୁଙ୍କୁ ଯୋଜନାରେ ସାମିଲ କରାଯିବ
ନୂଆଦିଲ୍ଲୀ: କୋଭିଡ ୧୯ ପାଇଁ ଯେଉଁ ପିଲାମାନେ ସେମାନଙ୍କ ମାତା ପିତାଙ୍କୁ ହରାଇଛନ୍ତି ସେମାନଙ୍କ ସମେତ କରୋନା କଳାରେ ଅନାଥ ହୋଇଥିବା ସମସ୍ତ ଶୁଶୁଙ୍କୁ ଏ ବାବଦ କଲ୍ୟାଣ ଯୋଜନାଗୁଡ଼ିକରେ ଅନ୍ତଭୁର୍କ୍ତ କରିବାକୁ ଆଜି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ଅନାଥ ଶିଶୁଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ଉଭୟ କରୋନାରେ ଅନାଥ ଏବଂ କରୋନା ସମୟରେ ଅନାଥ ଶିଶୁଙ୍କ ପାଇଁ ଲାଗୁ ହେବ। ଅନାଥ ଶିଶୁଙ୍କ ବାବଦରେ ରାଜ୍ୟ ସରକାରମାନେ ଚାଇଲ୍ଡ ହେଲ୍ପ ଲାଇନ, ପୁଲିସ, ଅଙ୍ଗନବାଡ଼ି କର୍ମୀ ଏବଂ ଅନ୍ୟ ସମସ୍ତ ଗ୍ରହଣୀୟ ଉତ୍ସରୁ ତଥ୍ୟ ନେବାକୁ ହେବ ବୋଲି କୋର୍ଟ କହିଛନ୍ତି।
The post କୋଭିଡ୍ରେ ଅନାଥ ଶିଶୁଙ୍କୁ ସହାୟତା ପ୍ରସଙ୍ଗ; ତଥ୍ୟ ବିଶ୍ବାସଯୋଗ୍ୟ ନୁହେଁ: ସୁପ୍ରିମ୍କୋର୍ଟ first appeared on Sambad.from କରୋନା | Sambad https://ift.tt/3iXObsy
0 Comments