
ସମ୍ବଲପୁର : ସମ୍ବଲପୁର ନୟାପଡ଼ାର ଜନଗହଳିପୂର୍ଣ୍ଣ ଆବାସିକ ଓ ବ୍ୟବସାୟିକ ଅଞ୍ଚଳରେ କୋଭିଡ୍ ହସ୍ପିଟାଲ୍ କରିବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ବୁଧବାର ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଗୋଲବଜାର ନିକଟସ୍ଥ ସ୍ପର୍ଶ ସିଟି ହସ୍ପିଟାଲ୍କୁ କୋଭିଡ ହସ୍ପିଟାଲ୍ କରିବା ନିଷ୍ପତ୍ତିର ପ୍ରତିବାଦ କରିଥିଲେ। ସେମାନେ ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲବଜାର, ଜିଲ୍ଲା ମୁଖ୍ୟ ଡାକଘର ଥିବା ନୟାପଡ଼ା ହେଉଛି ସହରର ସବୁଠୁ ବ୍ୟସ୍ତତମ ଆବାସିକ ଓ ବ୍ୟବସାୟିକ ଅଞ୍ଚଳ। ନୟାପଡ଼ାର ମଧ୍ୟ ଭାଗରେ ଥିବା ସ୍ପର୍ଶ ସିଟି ହସ୍ପିଟାଲ୍ରେ ଏକ ନୂଆ କୋଭିଡ୍ ଡାକ୍ତରଖାନା କରିବାକୁ ପ୍ରଶାସନ ଅନୁମତି ଦେଇଛି। ଏହା ବିକଟ ସ୍ବାସ୍ଥ୍ୟଗତ ବିପର୍ଯ୍ୟୟ ସୃଷ୍ଟି କରିବ। ତେଣୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସଂପୃକ୍ତ ଡାକ୍ତରଖାନାର ସ୍ବତନ୍ତ୍ର ଓ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନାହିଁ। ସଂଯୁକ୍ତ ସିୱେଜ୍ ବ୍ୟବସ୍ଥା କାରଣରୁ ଉକ୍ତ ଅଞ୍ଚଳର ଲୋକେ କୋଭିଡ୍ ସଂକ୍ରମିତ ହେବା ଆଶଂକା ରହିଛି। ଡାକ୍ତରଖାନା ହେବାକୁ ଥିବା କୋଠାରେ ହିଁ ଆଇଡିବିଆଇ ଓ କୋଟାକ୍ ମହିନ୍ଦ୍ରା ଆଦି ୨ଟି ବ୍ୟାଙ୍କ ରହିଛି। ତାକୁ ଲାଗି ଆଉ ଏକ କୋଠାରେ ଏଚ୍ଡିଏଫ୍ସି ବ୍ୟାଙ୍କ ଅଛି। ତେଣୁ ସେଠାରେ ସବୁବେଳେ ପାର୍କିଂ ସମସ୍ୟା ଲାଗି ରହିଥାଏ। ପ୍ରସ୍ତାବିତ ଡାକ୍ତରଖାନାର ପାର୍କିଂ ପାଇଁ ଯଥେଷ୍ଟ ସ୍ଥାନ ନାହିଁ। ହସ୍ପିଟାଲ୍ ସାମ୍ନାରେ ଗୋଟିଏ ହୋଟେଲ୍ ଓ ନିକଟରେ ଏୟାର୍ଟେଲ୍ର ଅଫିସ୍ ରହିଛି। କେତୋଟି କୋଠା ଛାଡ଼ି ଷ୍ଟେଟ୍ ବ୍ୟାଙ୍କର ଏକ ପ୍ରମୁଖ ଶାଖା ରହିଛି। ତେଣୁ ବ୍ୟବସାୟିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଉକ୍ତ ସ୍ଥାନରେ କୋଭିଡ୍ ହସ୍ପିଟାଲ୍କୁ ଅନୁମତି ମିଳିଲେ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଉକ୍ତ ପ୍ରସ୍ତାବିତ କୋଭିଡ୍ ହସ୍ପିଟାଲ୍ ନିକଟରେ ଅନେକ ସରକାରୀ କ୍ବାର୍ଟର୍ସ ରହିଛି। ସେଠାରେ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ କ୍ବାର୍ଟର୍ସକୁ ପ୍ରତିଦିନ ଶତାଧିକ ଲୋକ ଆସନ୍ତି। ସେହିପରି ବହୁ ବ୍ୟାଙ୍କ ଥିବାରୁ ଉକ୍ତ ଅଞ୍ଚଳରେ ସବୁବେଳେ ଭିଡ଼ ଲାଗି ରହିଥାଏ। ସଂପୃକ୍ତ କୋଠାର ଅଗ୍ନି ନିରାପତ୍ତା ଲାଇସନ୍ସ ଥିବା ନେଇ ସଂଦେହ ରହିଛି। କାରଣ ସହରର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାରେ ଥିବା ଉକ୍ତ ଡାକ୍ତରଖାନା ନିକଟକୁ ଦମକଳ ଗାଡ଼ି ପଶିବା ବି କଷ୍ଟସାଧ୍ୟ ହେବ। ତେଣୁ ଏଭଳି ଏକ ବ୍ୟସ୍ତବହୁଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କୋଭିଡ୍ ହସ୍ପିଟାଲ୍ ପାଇଁ ଅନୁମତି ଦେବା ଠିକ୍ ହେବ ନାହିଁ ବୋଲି ଉଲ୍ଲେଖ କରି ସ୍ଥାନୀୟ ଲୋକେ ଏହାକୁ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏମ୍ସିଏଲ୍ ଅନୁଦାନରେ ସମ୍ବଲପୁରରେ ଏକ ସୁପର୍ସ୍ପେସାଲିଟି କୋଭିଡ୍ ହସ୍ପିଟାଲ୍ ଖୋଲିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅନୁରୋଧ କରିଥିଲେ। ଏହାକୁ ଗ୍ରହଣ କରି ଶ୍ରୀ ଯୋଶୀ ଏଥି ପାଇଁ ପଦକ୍ଷେପ ନେବାକୁ ଏମ୍ସିଏଲ୍କୁ ପରାମର୍ଶ ଦେଇଥିଲେ। ପରେ ଗତ ୨୮ ତାରିଖ ଦିନ ସମ୍ବଲପୁରରେ ଏମ୍ସିଏଲ୍ ସହାୟତାରେ ୧୦୦ ଶଯ୍ୟା ବିଶିଷ୍ଟ ବିକାଶ ସିଟି କୋଭିଡ୍ ହସ୍ପିଟାଲ୍ ଖୋଲାଯିବ ବୋଲି ଘୋଷଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବି ୨ ତାରିଖରେ ସମ୍ବଲପୁର ଆସି ଉକ୍ତ ଡାକ୍ତରଖାନା ପରିଦର୍ଶନରେ ଯିବେ ବୋଲି ଗସ୍ତ ସୂଚୀ ଜାରି ହୋଇଥିଲା। ଗତ ୩୧ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ସମ୍ବଲପୁର ଆସି ନୟାପଡ଼ାର ସ୍ପର୍ଶ ସିଟି ହସ୍ପିଟାଲ୍ରେ ହିଁ ଏମ୍ସିଏଲ୍ ଅନୁଦାନରେ ପ୍ରାସ୍ତାବିତ କୋଭିଡ୍ ହସ୍ପିଟାଲ୍ କରାଯିବ ବୋଲି ସୂଚନା ଦେଇଥିଲେ। ତେବେ ଏହାପରେ ସଂପୃକ୍ତ ଡାକ୍ତରଖାନାର ସ୍ଥାନ, ଅଗ୍ନି ନିରାପତ୍ତା, ସ୍ଥାନୀୟ ଲୋକଙ୍କ ନିରାପତ୍ତା ଆଦିକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ ବିବାଦୀୟ ପରିସ୍ଥିତିକୁ ଏଡ଼ାଇବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ସମ୍ବଲପୁର ଗସ୍ତ ବାତିଲ କରି ଦେଇଥିଲେ। ଅପରପକ୍ଷରେ ବୁଧବାର ସ୍ଥାନୀୟ ଲୋକଙ୍କ ବିରୋଧ ଏହି ପ୍ରସ୍ତାବିତ ପ୍ରକଳ୍ପର ଭାଗ୍ୟକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।
The post ପ୍ରସ୍ତାବିତ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ first appeared on Sambad.from କରୋନା | Sambad https://ift.tt/3pr7nC9
0 Comments