
ରାୟଗଡ଼ା: ଟିକାକରଣ ପାଇଁ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା। କୋଭିଡ଼ରୁ ବର୍ତ୍ତିବା ଲାଗି ଟିକାକରଣ ଏକ ମାତ୍ର ବିକଳ୍ପ ହୋଇଥିବାରୁ ଟିକା ନେବାକୁ ସହମତି ପ୍ରଦାନ କରିଥିଲେ ଗ୍ରାମବାସୀ। ହେଲେ ଆଜି ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବା ପୂର୍ବରୁ ତାଟି କବାଟ ପକାଇ ଗାଁ ଲୋକେ ଅନ୍ୟତ୍ର ପଳାଇଛନ୍ତି। ପୂରା ଗାଁ ଜନଶୂନ୍ୟ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଫେରି ଆସିଛନ୍ତି। ଟିକାକରଣ ପାଇଁ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ଟିମକୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି କୋଲନରା ବ୍ଲକ୍ କୈଳାସପୁର ପଞ୍ଚାୟତର ଚମ୍ପାକଣା ଗ୍ରାମରେ।
୫୦୦ରୁ ଉର୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଚମ୍ପାକଣା ଗାଁରେ ଆଜି ଟିକାକରଣ ପାଇଁ ବ୍ଲକ୍ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ଗତ ୭ ତାରିଖ (ସୋମବାର) କୋଲନରା ମେଡ଼ିକାଲ୍ ଅଫିସର୍ ଡା. ଜି. ଶୈଳଜା, ଜନସ୍ବାସ୍ଥ୍ୟ ଅଧିକାରୀ ଶୁଭଶ୍ରୀ ଦାଶ, ବ୍ଲକ୍ ପ୍ରୋଗାମ ଅଫିସର୍ କଳ୍ପନା ମିଶ୍ର ମୁକୁନ୍ଦପୁର ପଞ୍ଚାୟତ ଅଫିସରେ ପହଞ୍ଚି ବୈଠକ କରିଥିଲେ। ବୈଠକରେ କୈଳାସପୁର, ରେଖାପଦର, ମୁକୁନ୍ଦପୁର ଗ୍ରାମବାସୀ ଯୋଗ ଦେଇଥିଲେ।

ଏଥି ସହିତ ସରପଞ୍ଚ, ୱାର୍ଡମେମ୍ବର, ଦିଶାରି, ଗାଁ ଜାନିକୁ ବୈଠକରେ ସାମିଲ୍ କରାଯାଇଥିଲା। ଅନ୍ଧବିଶ୍ବାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ଗାଁ ଲୋକ ଟିକାକରଣ ପାଇଁ ମନା କରିଥିବାରୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ ୩ ଘଣ୍ଟା ଧରି ବୁଝାଇଥିଲେ। ସେହିପରି ଗାଁ ଲୋକଙ୍କୁ ମନାଇବା ପାଇଁ ସରପଞ୍ଚ, ଦିଶାରି, ଜାନିଙ୍କ ସହାୟତା ନେଇଥିଲା ସ୍ବାସ୍ଥ୍ୟ ବିଭାଗ। ସୋମବାର ବୈଠକରେ ୩ ଗ୍ରାମବାସୀ ଟିକାକରଣ ପାଇଁ ରାଜି ହୋଇଥିଲେ। ଫଳରେ ଆଜି ସ୍ବାସ୍ଥ୍ୟ ବିଭାଗର ୨ ଏଏନ୍ଏମଙ୍କ ସମେତ ଡାଟା ଏଣ୍ଟ୍ରି ଅପରେଟର୍ ଓ ଜଣେ ଡାକ୍ତର ଚମ୍ପାକଣା ଗ୍ରାମକୁ ଟିକାକରଣ ପାଇଁ ଯାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦୦ ଡୋଜ୍ ଟିକା ଦେବା ପାଇଁ ପ୍ରସ୍ତୁତି କରି ଟିମ୍ ଯାଇଥିଲା। ପୂର୍ବାହଣରେ ମେଡ଼ିକାଲ୍ ଟିମ୍ ଗାଁରେ ପହଞ୍ଚିବା ପରେ ପୂରା ଗାଁ ଜନଶୂନ୍ୟ ଥିବା ସହିତ ଘରେ ଘରେ ତାଟି କବାଟ ପଡିଥିବା ଦେଖିଥିଲେ। କିଛି ବୟସ୍କ ଲୋକ ଗାଁରେ ଥିବା ବେଳେ ସେମାନଙ୍କ ସହ ସ୍ବାସ୍ଥ୍ୟ ବିଭାଗ ଟିମ୍ ଆଲୋଚନା କରିଥିଲେ। କିନ୍ତୁ ଲୋକେ କାମଧନ୍ଧା ଲାଗି ବାହାରକୁ ଯାଇଥିବା ପ୍ରକାଶ କରିବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଗାଁରେ ଅପେକ୍ଷା କରିଥିଲେ। ମଧ୍ୟାହଣ୍ ଶୁଦ୍ଧା କେହି ନ ଫେରିବାରୁ ଶେଷରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଫେରି ଆସିଥିଲେ।
ସୂଚନାଯୋଗ୍ୟ, ସଚେତନତା ଅଭାବରୁ କୋଲନରା ବ୍ଲକର ଗ୍ରାମାଞ୍ଚଳରେ ସ୍ବାବ ଟେଷ୍ଟିଂ, ଟିକାକରଣକୁ ନେଇ ସ୍ବାସ୍ଥ୍ୟ ବିଭାଗ ଟିମକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଗତ କିଛି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗୌଡ଼ଲେଲିବାଡ଼ି ଗାଁକୁ ସ୍ବାବ ଟେଷ୍ଟ କରିବାକୁ ଯାଇଥିଲେ। ଗାଁରୁ ୨ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଗାଁ ଲୋକ ତୀବ୍ର ବିରୋଧ କରିବା ସହ ଟିମକୁ ଘଉଡାଇ ଦେଇଥିଲେ। ସେହିପରି ପାଣ୍ଡରାତୋଳା ଗାଁରେ ଗତ ୭ ତାରିଖରେ ସ୍ବାବ ଟେଷ୍ଟ ହୋଇଥିବା ବେଳେ ଗାଁରୁ ୨୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣା ପଡିଛି।
The post ଚମ୍ପାକଣାରେ ଟିକାକରଣକୁ ବିରୋଧ; ମେଡ଼ିକାଲ୍ ଟିମ୍ ପହଞ୍ଚିବା ଆଗରୁ ଗାଁ ଜନଶୂନ୍ୟ first appeared on Sambad.from କରୋନା | Sambad https://ift.tt/3zg4EzO
0 Comments