ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନାର ଦ୍ବିତୀୟ ଲହରରେ ମୃତ୍ୟୁ ସଂଖ୍ୟକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଶେଷକରି ବର୍ତ୍ତମାନ ସୁଦ୍ଧା ଦ୍ବିତୀୟ ଲହରରେ ଯେତିକି ଲୋକ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି, ତାର ୧୦ ଗୁଣା ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ରିପୋର୍ଟରେ ଦର୍ଶାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ସ୍ବାମୀଙ୍କୁ ହରାଇଥିବା ମହିଳାଙ୍କୁ ଭତ୍ତା ପ୍ରଦାନ ସମେତ ଅନାଥ ହୋଇଥିବା ଶିଶୁଙ୍କୁ ଥଇଥାନ କରିବା ନେଇ ଘୋଷଣା କରିଛନ୍ତି। ଏନେଇ କରୋନା ମୃତକଙ୍କ ବାବଦରେ ତଥ୍ୟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୟାଗଡ଼ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ନୟା‌ଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍‌ ହସ୍ପିଟାଲରେ କରୋନାର ଦ୍ବିତୀୟ ଲହରରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ୯୬ ଜଣ ନୟାଗଡ଼ ଜିଲ୍ଲାର ଓ ଅବଶିଷ୍ଟ ୨୧ ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତଥ୍ୟ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲାରେ କରୋନାରେ ମୋଟ୍ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଥମ ଲହରରେ ୪୫ ଜଣ ଓ ଦ୍ବିତୀୟ ଲହରରେ ୯ ଜଣ ପ୍ରାଣ ହରାଇଥିବା ଘୋଷଣା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିପୋର୍ଟ କରୋନାରେ ଯେ ଯଥେଷ୍ଟ ଅଧିକ ମୃତ୍ୟୁ ହୋଇଛି, ତାହା ଧରା ପକାଇଦେଉଛି।

କରୋନାରେ ସ୍ବାମୀଙ୍କୁ ହରାଇ ବିଧବା ‌ହୋଇଥିବା ମହିଳା, ଅନାଥ ପିଲାଙ୍କ ଲାଗି ଭତ୍ତା ଯୋଜନା କରୋନା ମୃତ୍ୟୁ ଲୁଚାଇବା ରହସ୍ୟକୁ ଏକରକମ ପଦାରେ ପକାଇ ଦେଇଛି। ଏ ବାବଦରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ସାହୁଙ୍କୁ ପଚାରିବାରୁ, ସିଡିଏମ୍‌ଓ ୯୬ ଜଣ କରୋନା ମୃତକଙ୍କ ତାଲିକା ଦେଇଥିବା କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଲୋକଙ୍କୁ ବାଦ୍‌ ଦେଇ ବାକି ସମସ୍ତ ମୃତକଙ୍କ ତଥ୍ୟ ତହସିଲ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଛି। ସେମାନେ ଭତ୍ତା ନିମନ୍ତେ ହିତାଧିକାରୀ ଚୟନ କରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର ମଧ୍ୟ ୯୬ ମୃତ୍ୟୁ କଥାକୁ ସ୍ବୀକାର କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଦ୍ବିତୀୟ ଲହରରେ ନୟାଗଡ଼ ଜିଲ୍ଲାରୁ ମାତ୍ର ୯ ଜଣ ମୃତ୍ୟୁ ଘୋଷଣା ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମେ ରାଜ୍ୟ ସରକାରଙ୍କୁ ୯ଟି ମୃତ୍ୟୁ ବାବଦରେ ଅଡିଟ୍‌ କରି ରିପୋର୍ଟ ଦେଇଛୁ।

The post କରୋନା ମୃତ୍ୟୁ: ତାଳମେଳ ରହୁନି, ସରକାରଙ୍କ ରିପୋର୍ଟ ୯, ସିଡିଏମ୍‌ଓଙ୍କ ୯୬ first appeared on Sambad.

from କରୋନା | Sambad https://ift.tt/352LMX4