ନୂଆଦିଲ୍ଲୀ: ୩ ବର୍ଷିଆ ଛୁଆଙ୍କୁ ଦେଇ ହେବା ଭଳି ‘ସାଇନୋଭ୍ୟାକ୍‌ ବାୟୋଟେକ୍‌’ଦ୍ବାରା ଉତ୍ପାଦିତ ପିଲାଙ୍କ ନିମିତ୍ତ କରୋନାଭାଇରସ୍‌ ଟିକାର ଜରୁରୀକାଳୀନ ବ୍ୟବହାରକୁ ଚୀନ୍‌ ଅନୁମୋଦନ କରିଛି। ଏଥିସହ, ଏତେ ସାନ ପିଲାଙ୍କୁ ଦେଇ ହେଉଥିବା ଟିକା ଅନୁମୋଦନ କରିବାରେ ଚୀନ୍‌ ବିଶ୍ବର ପ୍ରଥମ ପ୍ରମୁଖ ଦେଶ ହୋଇପାରିଛି। ଏପର୍ଯ୍ୟନ୍ତ କେବଳ ୧୮ ବର୍ଷ ଏବଂ ତଦ୍ଦୁର୍ଦ୍ଧ୍ବ ବୟସର ଲୋକମାନଙ୍କ ପାଇଁ କୋଭିଡ୍ ନିରୋଧୀ ଟିକା ସୀମିତ ଥିଲା।

ଚୀନର ଏକ ରାଷ୍ଟ୍ରାୟତ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କମ୍ପାନିର ଅଧ୍ୟକ୍ଷ ୟିନ୍‌ ୱେଇଡୋଙ୍ଗ୍‌ ଶୁକ୍ରବାର ଦିନ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଠିକ୍‌ କେଉଁ ଦିନ ଠାରୁ ପିଲାମାନଙ୍କୁ ଏହି ଟିକା ଦିଆଯିବ ସରକାର ତାହା ଘୋଷଣା କରିନାହାନ୍ତି। ଚୀନ୍ ସ୍ବାସ୍ଥ୍ୟ ଅଧିକାରୀଙ୍କ ଟିକାକରଣ ବନ୍ଦୋବସ୍ତ ଉପରେ ଛୁଆମାନଙ୍କୁ ସାଇନୋଭ୍ୟାକ୍‌ର ଟିକା ଦେବା ଆରମ୍ଭ ତାରିଖ ନିର୍ଭର କରୁଛି ବୋଲି ୟିନ୍‌ ୱେଇଡୋଙ୍ଗ୍ କହିଛନ୍ତି।

Image Courtesy of Nikkei Asia

ଏହି ଟିକା ଛୁଆମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ବୋଲି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷାରୁ ପ୍ରାପ୍ତ ପ୍ରାଥମିକ ରିପୋର୍ଟର ଫଳାଫଳରୁ ଜଣାପଡ଼ିଛି। ଏପର୍ଯ୍ୟନ୍ତ ଏହି ଟିକାର ପାର୍ଶ୍ବ ପ୍ରତିକ୍ରିୟା ଅତି ସାମାନ୍ୟ ଥିବା କଥା ଜଣାପଡ଼ିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଦୁଇଟି ରେଗୁଲାର୍‌ ଡୋଜ୍ ନେଇ ସାରିବା ପରେ ପରୀକ୍ଷାରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀ ଶିଶୁମାନଙ୍କୁ ‘ତୃତୀୟ ବୁଷ୍ଟର୍‌ ଡୋଜ୍‌’ ଦିଆଯାଇଥିଲା। ଏହା ସପ୍ତାହକ ମଧ୍ୟରେ ୧୦ଗୁଣ ଏବଂ ଦୁଇ ସପ୍ତାହରେ ୨୦ଗୁଣ ଆଣ୍ଟିବଡି ବୃଦ୍ଧି କରିଥିବା ଜଣାପଡ଼ିଛି ବୋଲି ୟିନ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଚୀନ୍‌ର ‘କ୍ୟାନ୍‌ସାଇନୋ ବାୟୋଲୋଜିକ୍ସ୍‌’ଦ୍ବାରା ପ୍ରସ୍ତୁତ ୬ ରୁ ୧୭ ବର୍ଷ ବୟସ୍କବର୍ଗଙ୍କ ନିମିତ୍ତ ଟିକା ସମ୍ପ୍ରତି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି।

The post ବିଶ୍ବରେ ପ୍ରଥମ: ୩ ବର୍ଷିଆ ଛୁଆଙ୍କୁ ଦେଇ ହେବା ଭଳି କୋଭିଡ୍-୧୯ ଟିକା ଅନୁମୋଦନ କଲା ଚୀନ୍‌ first appeared on Sambad.

from କରୋନା | Sambad https://ift.tt/3puFnNJ