ଏଚ୍‌ଆଇଭି ପୀଡ଼ିତାଙ୍କୁ ୨୧୬ ଦିନ ହେଲା କୋଭିଡ୍‌ ସଂକ୍ରମଣ

ଡର୍ବାନ୍‌(ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକାର ଗବେଷକମାନେ ଡର୍ବାନ୍‌ ଅନ୍ତର୍ଗତ କ୍ବାଜୁଲୁ ନାଟାଲର ଜଣେ ୩୬ ବର୍ଷୀୟା ଏଚ୍‌ଆଇଭି ପୀଡ଼ିତାଙ୍କ ଠାରେ ଅତି ବିପଜ୍ଜନକ କରୋନାଭୂତାଣୁର ରୂପାନ୍ତରିତ ପ୍ରଜାତି ଠାବ କରିଛନ୍ତି। ମହିଳାଙ୍କ ଠାରେ ଦୀର୍ଘ ୨୧୬ ଦିନ ହେଲା କୋଭିଡ୍‌ ସଂକ୍ରମଣ ଜାରି ରହିଥିବା ବେଳେ ଏହି ସମୟ ମଧ୍ୟରେ ତାଙ୍କ ଶରୀରରେ କରୋନାଭୂତାଣୁ ୩୨ ପ୍ରକାରର ରୂପ ବଦଳେଇଥିବା ଜଣାଯାଇଛି।

ଭେଷଜଭିତ୍ତିକ ପତ୍ରିକା ‘ମେଡ୍‌ଆର୍କିଭ୍‌’ର ଗତ ଗୁରୁବାର ସଂଖ୍ୟାରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ପ୍ରକାଶିତ ହୋଇଛି। ସୂଚନାନୁଯାୟୀ, ୨୦୦୬ ମସିହାରେ ସଂପୃକ୍ତ ମହିଳାଙ୍କ ଠାରେ ଏଚ୍‌ଆଇଭି ଭୂତାଣୁ ଠାବ ହୋଇଥିଲା। ସେବେଠାରୁ ତାଙ୍କ ଶରୀରର ରୋଗପ୍ରତିରୋଧକତା ଧୀରେ ଧୀରେ କମି କମି ଆସିଛି। ଏପରି ସ୍ଥଳେ ଗତବର୍ଷ ସେପ୍ଟେମ୍ବର ମାସରେ ହିଁ ସେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ଏହି ଅବସରରେ ଉକ୍ତ ଘାତକ ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ରେ ୧୩ଟି ରୂପାନ୍ତର ଧାରଣ କରିଥିବା ଜଣାଯାଇଛି। ସେହିପରି ଭୂତାଣୁ ଦେହରେ ଅନ୍ୟ ୧୯ ପ୍ରକାରର ଜୈବ ପରିବର୍ତ୍ତନ ମଧ୍ୟ ସଂଘଟିତ ହୋଇଛି ଯାହା ଭୂତାଣୁର ସମ୍ପୂର୍ଣ୍ଣ ଲକ୍ଷଣକୁ ମଧ୍ୟ ବଦଳାଇବାକୁ ସକ୍ଷମ। ସେହି ରୂପାନ୍ତରଗୁଡ଼ିକ ମଧ୍ୟରେ ୟୁକେରେ ପ୍ରଥମେ ଠାବ ହୋଇଥିବା ଆଲ୍‌ଫା ପ୍ରଜାତି(ବି.୧.୧.୭) ଭୂତାଣୁରେ ରହିଥିବା ଇ୪୮୪କେ ପରି ରୂପାନ୍ତର ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଠାବ ହୋଇଥିବା ବିଟା ପ୍ରଜାତି(ବି.୧.୩୫୧) ଭୁତାଣୁରେ ରହିଥିବା ଏନ୍‌୫୧୦ଵାଇ ନାମକ ରୂପାନ୍ତର ରହିଥିବାରୁ ତାହା ଏବେ ଗଭୀର ଚିନ୍ତାର ବିଷୟ ହୋଇଛି। ତେବେ ସଂପୃକ୍ତ ମହିଳାଙ୍କ ଠାରେ ଥିବା ଏହି ରୂପାନ୍ତରିତ ଭୂତାଣୁଗୁଡ଼ିକ ଅନ୍ୟ କାହା ଶରୀରକୁ ସଂକ୍ରମିତ ହୋଇଛି କି ନାହିଁ ତାହା ଗବେଷକମାନେ ନିଶ୍ଚିତ ନୁହନ୍ତି। ତେବେ ସଂଯୋଗବଶତଃ ନହେଲେ ମଧ୍ୟ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲ ଇଲାକାରେ ଯେଉଁଠି ୨୫ ପ୍ରତିଶତରୁ ଅଧିକ ବୟସ୍କ ବ୍ୟକ୍ତି ଏଚ୍‌ଆଇଭି ପୀଡ଼ିତ, ସେଠାରୁ ହିଁ ଏହି ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁମାନେ ବେଶୀ ଆବିର୍ଭୂତ ହୋଇଛନ୍ତି।

ଅପରପକ୍ଷେ, ରୋଗପ୍ରତିରୋଧକତା ଦୁର୍ବଳ ହୋଇପଡ଼ିଥିବା ଶରୀର ଏଭଳି କରୋନାଭୂତାଣୁକୁ ଦୀର୍ଘ ଦିନ ଧରି ବହନ କରିପାରନ୍ତି ବୋଲି ମୁଖ୍ୟ ଗବେଷକ ଟୁଲିଓ ଡି ଓଲିଭେରିଆ କହିଛନ୍ତି। ତେବେ କରୋନାଭୂତାଣୁର ଏପରି ରୂପାନ୍ତର ପ୍ରକ୍ରିୟା ଓ ଏଚ୍‌ଆଇଭି ପୀଡ଼ିତଙ୍କ ଠାରେ କୋଭିଡ୍‌ ସଂକ୍ରମଣ ମଧ୍ୟରେ କିଛି ସଂଯୋଗ ଥିବା ଜଣାପଡ଼ିଲେ ତାହା ଭାରତ ପାଇଁ ଅତିଶୟ ଚିନ୍ତାର କାରଣ ହେବ। କାରଣ ଏଠାରେ ପାଖାପାଖି ୧୦ ଲକ୍ଷ ଏଚ୍‌ଆଇଭି ପୀଡ଼ିତ ବିନା ଚିକିତ୍ସାରେ ରହିଥିବା ଜଣାଯାଇଛି।

The post ଏଚ୍‌ଆଇଭି ପୀଡ଼ିତାଙ୍କୁ ୨୧୬ ଦିନ ହେଲା କୋଭିଡ୍‌ ସଂକ୍ରମଣ first appeared on Sambad.

from କରୋନା | Sambad https://ift.tt/3x2PMTm

Post a Comment

0 Comments