ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରକୁ ଧାରା ୩୭୦ ଏବଂ ୩୫ ଏ ପ୍ରତ୍ୟର୍ପଣ ନ କରାଯିବା ପର୍ଯ୍ୟନ୍ତ ‘କ୍ଷମତା ରାଜନୀତି’ କିଂବା ନିର୍ବାଚନରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ‘ପିପୁଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟି’ର ଅଧ୍ୟକ୍ଷା ଏକ ଜାତୀୟସ୍ତରୀୟ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କ ସହ ସାକ୍ଷାତ୍‌କାର ବେଳେ କହିଛନ୍ତି।

ସେ କହିଛନ୍ତି, ମୁଁ ଜାଣେ ଧାରା ୩୭୦ ଓ ୩୫ଏ ପ୍ରତ୍ୟର୍ପଣ ଖାଇବା ଜିନିଷ ହୋଇନାହିଁ ଯେ, କେନ୍ଦ୍ର ସରକାର ଥାଳିରେ ପରଶି ଦେବେ, କିନ୍ତୁ ଏଥିପାଇଁ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ। ଏଥିପାଇଁ ଆମେ ସଂଗ୍ରାମ କରିବୁ। ତାହା ହାସଲ ହେବା ଯାଏଁ ଗୁପକର ମେଣ୍ଟ ଏକଜୁଟ ହୋଇ ରହିଥିବ।

Image Courtesy of The Second Angle

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଆମକୁ ଯାହା ଦେଇଥିଲା ଆମେ ତାହା ଫେରସ୍ତ ଚାହୁଁ। ନିଜସ୍ବ ନିର୍ବାଚନୀ ଫାଇଦା ଲାଗି ସେମାନେ ଧାରା ୩୭୦ ଉଚ୍ଛେଦ କରି ଭାରତୀୟ ସମ୍ବିଧାନକୁ ସଙ୍କୁଚିତ କରିଛନ୍ତି।

ଗୁରୁତ୍ବାରୋପ କରି ସେ କହିଛନ୍ତି, ଜମ୍ମୁ ଓ କଶ୍ମୀରକୁ ପୁନର୍ବାର ରାଜ୍ୟ ମାନ୍ୟତା ଫେରାଇବା ଏବଂ ନିର୍ବାଚନ କରାଇବା ଉପରେ ଗୁରୁତ୍ବ ଦେବା ପାଇଁ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକରେ ଯୋଗ ଦେଇ ନ ଥିଲେ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା- ଦୁର୍ଦ୍ଦଶାଗ୍ରସ୍ତ କଶ୍ମୀରବାସୀଙ୍କ ଚଳିବା ଅବସ୍ଥା ସ୍ବଚ୍ଛଳ କରିବା ନିମନ୍ତେ କେନ୍ଦ୍ର ସରକାର ଆତ୍ମବିଶ୍ବାସ ସୃଷ୍ଟି କରିବା ଭଳି ପଦକ୍ଷେପ ଆରମ୍ଭ କରନ୍ତୁ।

ସ୍ମରଣଯୋଗ୍ୟ, ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ ଓ କଶ୍ମୀର ସମସ୍ୟା ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ସେଠାକାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ବୈଠକ ଡକାଇଥିଲେ।

The post ଧାରା ୩୭୦, ୩୫ ଏ ପ୍ରତ୍ୟାର୍ପଣ ନ ହେବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବି ନାହିଁ: ମେହବୁବା ମୁଫ୍‌ତି first appeared on Sambad.

from କରୋନା | Sambad https://ift.tt/3gWSAw2