ନୂଆଦିଲ୍ଲୀ: ଦେଶରେ କରୋନା ଟେଷ୍ଟିଂ ସଂଖ୍ୟା ୪୦ କୋଟି ଟପିଯାଇଛି। ଜୁନ୍‌ ମାସରେ ପ୍ରତିଦିନ ହାରାହାରି ୧୮ ଲକ୍ଷରୁ ଅଧିକ କରୋନା ଟେଷ୍ଟ୍‌ କରାଯାଇଛି ବୋଲି ଆଇସିଏମ୍‌ଆର କହିଛି। ଶୁକ୍ରବାର ସୁଦ୍ଧା ଦେଶରେ ୪୦,୧୮,୧୧,୮୯୨ କୋଭିଡ୍‌ ଟେଷ୍ଟ୍‌ ହୋଇଛି। ତେବେ ଜୁନ୍‌ ୧ ସୁଦ୍ଧା ୩୫ କୋଟି ନମୁନା ପରୀକ୍ଷା ‌ହୋଇଥିଲା। ଦେଶରେ ଟେଷ୍ଟିଂ ଭିତ୍ତିଭୂମି ସୁଦୃଢ଼ ହେବାଦ୍ବରା ଏହା ସମ୍ଭବ ହୋଇପାରିଛି ବୋଲି ଆଇସିଏମ୍‌ଆର ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଆଇସିଏମ୍‌ଆର ଡିଜି ପ୍ରଫେସର ବଳରାମ ଭାର୍ଗବ କହିଛନ୍ତି, ଟେଷ୍ଟିଂ ବଢ଼ିବାଦ୍ବାରା ଆରମ୍ଭରୁ ସଂକ୍ରମଣ ଚିହ୍ନଟ ହେଉଛି ଏବଂ ଏହାଦ୍ବାରା ରୋଗୀଙ୍କର ସଫଳ ଚିକିତ୍ସା ହୋଇପାରୁଛି ଏବଂ ମୃତ୍ୟୁହାର ମଧ୍ୟ କମିଯାଉଛି।

‌ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୪୮,୬୯୮ ଦୈନିକ ନୁଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧,୧୮୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହି ସମୟରେ ୬୪,୮୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୫ ରାଜ୍ୟରୁ ୭୧.୨ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। କେରଳରେ ୧୧,୫୪୬ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୯,୬୦୪, ତାମିଲନାଡ଼ୁରେ ୫,୭୫୫, ଆନ୍ଧ୍ରପ୍ରଦେଶରେ ୪,୪୫୮ ଏବଂ କର୍ଣ୍ଣାଟକରେ ୩,୩୧୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ନୂଆ ସଂକ୍ରମଣ ମାମଲା‌ରୁ ‌ ୨୩.୭୧ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସି ଯାଇଛି। ମୋଟ୍‌ ସକ୍ରିୟ ମାମଲା ଏବେ ୫,୯୫,୫୬୫ ରହିଛି।

The post ଟେଷ୍ଟିଂ ୪୦କୋଟି ଟପିଲା, ଦୈନିକ ସଂକ୍ରମଣ ୫୦ହଜାର ତଳେ first appeared on Sambad.

from କରୋନା | Sambad https://ift.tt/3djHP4N