ରାଉରକେଲା: ବୟସ ୭୮। କୋଭିଡ୍‌ରେ ସଂକ୍ରମିତ ହେବାପରେ ଅମ୍ଳଜାନ ସ୍ତର ବି ହ୍ରାସ ପାଇଥିଲା। ତେବେ ଘରେ ରହି ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ନେଇଥିଲେ। ପ୍ରତିଦିନ ପୁଷ୍ଟିକର ଖାଦ୍ୟ ସହ ପ୍ରାଣାୟାମ କରିଥିଲେ। ଦିନେ କି ଦୁଇ ଦିନ ନୁହେଁ, ପୁରା ୨୦ ଦିନ ଏଭଳି ଜୀବନଯାପନ ବିତାଇଥିଲେ। ଶେଷରେ କରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି। ଏହି କରୋନା ବିଜୟୀ ହେଉଛନ୍ତି କୋଏଲନଗର ଏ’ ବ୍ଲକର ସୁରେନ୍ଦ୍ର ନାଥ ମହାକୁଳ।

ସୁରେନ୍ଦ୍ରଙ୍କ ପରିବାର କହିଲେ ପତ୍ନୀ ମେନକା ରାଣୀ(୬୪), ପୁଅ ପ୍ରକାଶ, ବୋହୁ ଓ ନାତୁଣୀ। କରୋନା ଆରମ୍ଭରୁ ସବୁବେଳେ ସତର୍କତା ଅବଳମ୍ବନ କରୁଥିଲେ। ତେବେ ହଠାତ୍‌ ଏପ୍ରିଲ୧୯ ତାରିଖ ଦିନ ସାମାନ୍ୟ କାଶ, ଥଣ୍ଡା ଆଦି ଲକ୍ଷଣ ଦେଖାଦେଇଥିଲା। ଏଣୁ ତା’ପରଦିନ କୋଭିଡ୍‌ ଟେଷ୍ଟ୍‌ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏଣୁ ସେ ଘରେ ସଙ୍ଗରୋଧରେ ରହିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା, ଫଳରେ ସମସ୍ତଙ୍କୁ ଅନ୍ୟତ୍ର ରଖାଯାଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ଶ୍ରୀ ମହାକୁଳଙ୍କୁ ମାତ୍ରାଧିକ ଯତ୍ନର ଆବଶ୍ୟକ ପଡ଼ିଥିଲା। ଆଉ ଏହି ଭାର ସମ୍ଭାଳି ଥିଲେ ପୁଅ ପ୍ରକାଶ। ବାପାଙ୍କ ପାଖରେ ରହି ସେବାସୁଶ୍ରୁଶା କରିଥିଲେ ପ୍ରକାଶ।

ଯଦିଓ ବାପାଙ୍କ ପାଖକୁ ଯାଉଥିଲେ, ତଥାପି ୨ଟି ମାସ୍କ, ହ୍ୟାଣ୍ଡ୍‌ ଗ୍ଲୋବ୍‌ସ ଆଦି ପିନ୍ଧିବାକୁ ଭୁଲୁନଥିଲେ। ବାଥ୍‌ରୁମ୍‌ ଯିବା ଓ ଆସିବାପରେ ତୁରନ୍ତ ବିଶୋଧନ କରାଯାଉଥିଲା। ପ୍ରତିଦିନ ଅକ୍ସିଜେନ ମାତ୍ରା ଯାଞ୍ଚ କରାଯାଉଥିଲା। ତେବେ୍‌ ହଠାତ୍‌ ୨୪ ତାରିଖ ଅକ୍ସିଜେନ ମାତ୍ରା କମିଯାଇଥିଲା। ଏଣୁ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦିନଟିଏ ରହିବାପରେ ସାମାନ୍ୟ ସୁସ୍ଥ ହେବାରୁ ପୁଣି ଘରକୁ ଫେରିଆସିଥିଲେ। ମାତ୍ର ଅକ୍ସିଜେନ ମାତ୍ରା ସ୍ବାଭାବିକ୍‌ ନ ହେବାରୁ ବ୍ୟକ୍ତିଗତଭାବେ ଏକ ଅକ୍ସିଜେନ ସିଲିଣ୍ଡର୍‌ ଯୋଗାଡ଼ କରିଥିଲେ ପ୍ରକାଶ। ହସପିଟାଲରୁ ଫେରିବାର ୪/୫ ଦିନ ଅକ୍ସିଜେନରେ ହିଁ ରହିଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରେ ଲାଗିଥିଲା। ଆଇଜିଏଚ୍‌ର ଡାକ୍ତର ପି.କେ. ମହାପାତ୍ରଙ୍କ ପରାମର୍ଶକ୍ରମେ ଔଷଧ ଗ୍ରହଣ କରିଥିଲେ। ଏତଦ୍‌ବ୍ୟତୀତ ଘରୋଇ ଉପଚାର ମଧ୍ୟ କରିଥିଲେ। ପ୍ରତିଦିନ ବାମ୍ଫ ନେବା ସହ ପ୍ରାଣାୟାମ ବି କରିଥିଲେ। ପ୍ରାୟ ୨୦ ଦିନପରେ ଶେଷରେ ସୁସ୍ଥ ହୋଇଛନ୍ତି ଶ୍ରୀ ମହାକୁଳ। ସଠିକ୍‌ ସମୟରେ ଯାଞ୍ଚ ଓ ଔଷଧ ନେବାଯୋଗୁଁ କରୋନାକୁ ପରାସ୍ତ କରିପାରିଥିବା କହିଛନ୍ତି ଶ୍ରୀ ମହାକୁଳ।

The post କରୋନାକୁ ପରାସ୍ତ କଲେ ୭୮ ବର୍ଷୀୟ ସୁରେନ୍ଦ୍ର first appeared on Sambad.

from କରୋନା | Sambad https://ift.tt/2RgApYh