ନୂଆଦିଲ୍ଲୀ: ୩ କୋଟି ଡୋଜ୍‌ କୋଭିଡ୍‌ ଟିକା ସଂରକ୍ଷଣ ବା ‘ରିଜର୍ଭ’ କରି ରଖିବା ଲାଗି କେନ୍ଦ୍ର ସରକାର ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନି ‘ବାୟୋଲୋଜିକାଲ୍-ଇ’ ସହ ବୁଝାମଣା ଚୂଡ଼ାନ୍ତ କରିଥିବା କଥା ଗୁରୁବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଘୋଷଣା କରିଛି।

ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ ଏହି ଟିକା ଡୋଜ୍‌ ସବୁ ‘ମେସର୍ସ ବାୟୋଲୋଜିକାଲ୍‌-ଇ’ ଉତ୍ପାଦନ କରି ଗଚ୍ଛିତ ରଖିବ। ଏଥିନିମନ୍ତେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ମେସର୍ସ ବାୟୋଲୋଜିକାଲ୍‌-ଇ’କୁ ଅଗ୍ରୀମ ଆକାରରେ ୧,୫୦୦ କୋଟି ଟଙ୍କା ପ୍ରଦାନ କରିବ।

Image Courtesy of Medical Buyer

ସମ୍ପ୍ରତି ତୃତୀୟ ପର୍ଯ୍ୟାୟ ପରୀକ୍ଷଣସ୍ତରରେ ଥିବା ଏହି ‘ଆର୍‌ବିଡି ପ୍ରୋଟିନ୍‌ ସବ୍-ୟୁନିଟ୍‌’ ଟିକା ଆଗାମୀ କେତେ ମାସ ମଧ୍ୟରେ ବଜାରରେ ମିଳିଯିବ। ପ୍ରାରମ୍ଭିକ ନୈଦାନିକସ୍ତରରୁ ଏହି ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତ ସରକାର ‘ବାୟୋଲୋଜିକାଲ୍-ଇ’କୁ ସହଯୋଗ କରି ଆସୁଛନ୍ତି। ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆର୍ଥିକ ସହାୟତା ଦେବା ସହ ଫରିଦାବାଦସ୍ଥିତ ‘ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍ ଟ୍ରାନ୍‌ସ୍‌ଲେସ୍‌ନାଲ୍‌ ହେଲ୍‌ଥ୍‌ ସାଇନ୍‌ସ୍‌ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌’ ଜରିଆରେ ଜୀବଜନ୍ତୁଙ୍କ ଉପରେ ଟିକାର ପରୀକ୍ଷାମୂଳକ ପ୍ରୟୋଗ ଏବଂ ଅନ୍ୟାନ୍ୟ ଅଧ୍ୟୟନ ନିମନ୍ତେ ଅନୁମତି ପ୍ରଦାନ କରିଥିଲା।

ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ଉପରୋକ୍ତ ସହାୟତା ହେଉଛି, ଭାରତ ସରକାରଙ୍କ ‘ମିସନ୍‌ କୋଭିଡ୍‌ ସୁରକ୍ଷା- ଦି ଇଣ୍ଡିଆନ୍‌ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ମିସନ୍’ର ଅଂଶବିଶେଷ।

ସଂପ୍ରତି ଏହି ମିସନ୍ ୫/୬ଟି ଭାରତୀୟ କୋଭିଡ୍‌-୧୯ ଟିକା ବିକାଶରେ ସହଯୋଗ କରୁଛି।

The post ‘ବାୟୋଲୋଜିକାଲ୍‌-ଇ’ ଉତ୍ପାଦିତ ୩ କୋଟି ଡୋଜ୍‌ କୋଭିଡ୍‌ ଟିକା ପାଇଁ ଅଗ୍ରୀମ ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ first appeared on Sambad.

from କରୋନା | Sambad https://ift.tt/2SWGGsQ