ନୂଆଦିଲ୍ଲୀ: ସମଗ୍ର ବିଶ୍ବ କୋଭିଡ୍‌-୧୯ ମହାମାରୀ ବିରୋଧରେ ସଂଗ୍ରାମ ଚଳାଇଥିବା ବେଳେ ଯୋଗ ଆଶାର ପ୍ରତିଶ୍ରୁତି ସାଜିଛି ବୋଲି ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

୭ମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ସମଗ୍ର ବିଶ୍ବ କୋଭିଡ୍‌-୧୯ ମହାମାରୀ ବିପକ୍ଷରେ ସଂଗ୍ରାମରତ ଥିବାବେଳେ ଯୋଗ ଆଶାର ପ୍ରତିଶ୍ରୁତି ହୋଇପାରିଛି। ଆଜକୁ ଦୁଇ ବର୍ଷ ହେବ ଭାରତ କିଂବା ବିଶ୍ବରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରି ନ ଥିଲେ ବି ଯୋଗ ପ୍ରତି ଥିବା ଉତ୍ସାହ ହ୍ରାସ ପାଇ ନାହିଁ।

କୋଭିଡ୍‌-୧୯ ମହାମାରୀ କାରଣରୁ ବିଶ୍ବରେ ପ୍ରଚଳିତ ନିୟମକୁ ଆଧାର କରି ଏବର୍ଷର ଏହି କାର୍ଯ୍ୟକ୍ରମର ଶିରୋନାମା ରହିଛି ‘ଘରେ ଯୋଗ ଏବଂ ସପରିବାର ଯୋଗ’। ସମଗ୍ର ବିଶ୍ବରେ ପ୍ରାୟ ୧୯୦ଟି ଦେଶରେ ‌‘ଯୋଗ ଦିବସ’ ପାଳନ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ସୁସ୍ଥତା ନିମନ୍ତେ ଯୋଗ’ ଆହୁରି ଅଧିକ ଲୋକଙ୍କୁ ଯୋଗାସନ କରିବା ଲାଗି ଉତ୍ସାହିତ କରିଛି। ପ୍ରତ୍ୟେକ ଦେଶ, ଅଞ୍ଚଳ ଏବଂ ବ୍ୟକ୍ତିବିଶେଷ ସୁସ୍ଥ ରୁହନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।

File Photo Courtesy of India Today

ଆରୋଗ୍ୟ ପ୍ରକ୍ରିୟାରେ ଯୋଗ ସହାୟକ ହେବା କଥାକୁ ଗୁରୁତ୍ବ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରୋଗୀମାନଙ୍କୁ ଚିକିତ୍ସା କରିବା ଲାଗି ‌ଡାକ୍ତରମାନେ ଏହି ପ୍ରାଚୀନ ଅଭ୍ୟାସକୁ ସାଞ୍ଜୁ ଭାବେ ବ୍ୟବହାର କରୁଛନ୍ତି।

ଟେଲିଭିଜନ୍‌ରେ ପ୍ରସାରିତ ଏହି ସମ୍ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡାକ୍ତରୀ ଚିକିତ୍ସା ବ୍ୟତିରେକେ, ଆଜି ଡାକ୍ତରୀ ବିଜ୍ଞାନ ମଧ୍ୟ ଆରୋଗ୍ୟକାରୀ ପ୍ରକ୍ରିୟା ଉପରେ ଗୁରୁତ୍ବା‌ରୋପ କରୁଛନ୍ତି। ଯୋଗ ଆରୋଗ୍ୟ ପ୍ରକ୍ରିୟାରେ ସହାୟକ ହୁଏ। ଡାକ୍ତର ଓ ନର୍ସମାନେ ‘ଅନୁଲୋମ ବିଲୋମ ପ୍ରାଣାୟମ’ ଭଳି ଶ୍ବାସପ୍ରଶ୍ବାସ ବ୍ୟାୟାମ ନିମିତ୍ତ ଯୋଗାସନ କରୁଥିବା ଦୃଶ୍ୟ ସମ୍ବଳିତ ଡାକ୍ତରଖାନାମାନଙ୍କର ଫଟୋ ପ୍ରକାଶିତ ହେଉଛି। ଏହି ବ୍ୟାୟାମ ଶ୍ବାସପ୍ରଶ୍ବାସ ବ୍ୟବସ୍ଥାକୁ ସୁଦୃଢ଼ କରେ ବୋଲି ଆନ୍ତର୍ଜାତିକ ବିଶେଷଜ୍ଞମାନେ କହୁଛନ୍ତି।

୩୦ ମିନିଟ୍‌ର ଏହି ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହଯୋଗରେ ପ୍ରସ୍ତୁତ ‘ଏମ୍-ଯୋଗ ଆପ୍‌’ କଥା ମଧ୍ୟ ଘୋଷଣା କରିଛନ୍ତି। ସମଗ୍ର ବିଶ୍ବବାସୀଙ୍କ ପାଇଁ ଏଥିରେ ବିଭିନ୍ନ ଭାଷାରେ ଯୋଗ ତାଲିମ ଭିଡିଓ ସବୁ ରହିଛି। ଏହା ଆମର ନୀତିବାକ୍ୟ ‘ଏକ ବିଶ୍ବ ଏକ ସ୍ବାସ୍ଥ୍ୟ’ର ପ୍ରସାର କରାଇବ।

The post ବିଶ୍ବ କ‌ୋଭିଡ୍‌-୧୯ର ମୁକାବିଲା କରୁଥିବା ବେଳେ ଯୋଗ ଆଶାର ପ୍ରତିଶ୍ରୁତି ହୋଇପାରିଛି: ପ୍ରଧାନମନ୍ତ୍ରୀ ମ‌ୋଦୀ first appeared on Sambad.

from କରୋନା | Sambad https://ift.tt/2UnvkPa